କନକବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତ କନ୍ଦାଗାଡ଼ ଗାଁରେ ଡାଇରିଆ ଆତଙ୍କ । ଗତ ୭ଦିନ ମଧ୍ୟରେ ପ୍ରାୟ ୨୦ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିବା ଗ୍ରାମବାସୀ କହିଛନ୍ତି । ଖବର ପାଇ ତୁରେକେଲା ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ।

Advertisment

ଏହାସହ ନଳକୂପ ଓ କୂଅରେ ବ୍ଲିଚିଂ କରିବା ସହ ଗାଁରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଘରକୁ ଯାଇ ରୋଗୀ ଚିହ୍ନଟ କରୁଛନ୍ତି । ଝାଡାବାନ୍ତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  । ମୃତ ବ୍ୟକ୍ତିଙ୍କ ନାମ ଚୈତନ୍ୟ ଖରସେଲ ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି, ତା’ର ତଦନ୍ତ ଚାଲିଥିବା ମେଡିକାଲ ଅଫିସର କହିଛନ୍ତି । ଅନ୍ୟପଟେ ପୁଣି ଝାଡ଼ାବାନ୍ତି ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପ୍ଟିଆମ୍ବରେ ଝାଡ଼ାବାନ୍ତି ଉଗ୍ର ରୁପ ଧାରଣ କରିଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି  ।

ବର୍ତ୍ତମାନ ଗ୍ରାମରେ ମୃତ୍ୟୁ ସଂଖ୍ୟା ୪ କୁ ଛୁଇଁଛି । ଚେପ୍ଟିଆମ୍ବା ଗ୍ରାମର ଡ଼ାଲ ଜାନି, ଝରିଗାଁ ମେଡିକାଲରେ ଗୁରୁତର ଅବସ୍ଥାରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଚିକିତ୍ସିତ ହେଉଥିଲେ।  ପୂର୍ବରୁ ସେ ଡାଇରିଆରେ ଆକ୍ରାନ୍ତ ହୋଇ କୋରାପୁଟ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପରିବାର ଲୋକେ ଏକ ଗାଡି ଭଡ଼ା କରି ଆଣିଥିଲେ। ଗ୍ରାମରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଡକ୍ଟର ଏହି ବିଷୟରେ ଜାଣିବା ପରେ ଆକ୍ରାନ୍ତଙ୍କୁ ଝରିଗାଁ ମେଡିକାଲ୍ ନେବାକୁ କହିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଡ଼ାଲ ଜାନିଙ୍କ ସାନ ପୁଅ ମଧୁ ଜାନିଙ୍କର ମଧ୍ୟ ଡାଇରିଆରେ ୮ ତାରିଖରେ ମୃତ୍ୟୁ ଘଟିଥିଲା ।