କନକ ବ୍ୟୁରୋ: ୮ ଦିନ ହେଲା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଝାଡ଼ାବାନ୍ତି ବ୍ୟାପୀ ଚାଲିଛି । ଏହା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମୃତ ୩ ଜଣ ହେଲେ ବାସୁଦେବ ତନ୍ତୀ, ମିଲନ ସାହୁ ଓ ଡମ୍ବରୁଧର ବୁଡ଼ା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏମାନଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ତେବେ ସେମାନେ ଏହା ମଧ୍ୟରେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଝାଡ଼ାବାନ୍ତି ବ୍ୟାପିବା ପରେ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି ।
ଅନ୍ୟପଟେ ୪ ଜଣିଆ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଓଆରଏସ ବଣ୍ଟନ କରିଛନ୍ତି । ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ଅଞ୍ଚଳକୁ ପୂରା ସାନିଟାଇଜ୍ କରାଯାଇଛି । ଲୋକମାନେ ପିଇବା ପାଇଁ ବ୍ୟବହାର କରୁଥିବା ପାଣିର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା ନଗରପାଳ କହିଛନ୍ତି । ବ୍ରଜରାଜନଗରରେ ଝାଡ଼ାବାନ୍ତି ନିୟନ୍ତ୍ରଣକୁ ଆସୁଥିବା କୁହାଯାଉଛି । ତେବେ ବର୍ଷାଦିନ ଆସୁଥିବାରୁ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା କରାନଗଲେ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।