କନକ ବ୍ୟୁରୋ : ଉପକୂଳ ଓ ଉତ୍ତର ଓଡ଼ିଶାରେ କଲବଲ କରିବା ପରେ ପଶ୍ଚିମ ଓଡ଼ିଶାକୁ ବ୍ୟାପିଲା ଡାଇରିଆ । ସମ୍ବଲପୁରରେ ଜଣଙ୍କର ମୁଣ୍ଡ ଗଡ଼ିଛି । ଜିଲ୍ଲା ସଦର ହସ୍ପିଟାଲରେ ବିଭିନ୍ନ ଅଞ୍ଚଳରୁ ଡାଇରିଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ପଶ୍ଚିମ ଓଡ଼ିଶାକୁ ଡାଇରିଆ ଡେଇଁଥିବା ବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ ମାଡ଼ି ଚାଲିଛି । କେନ୍ଦ୍ରାପଡାର ଡେରାବିଶ ବ୍ଲକ ପରେ କେନ୍ଦ୍ରାପଡା ବ୍ଲକକୁ ଡେଇଁଛି । ଏପରିକି ଚକ୍ରୋଦା ପଞ୍ଚାୟତର ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗାଁରେ ମେଡିକାଲ ଟିମ୍ ପହଞ୍ଚି ବ୍ଲିଚିଂ ପକାଇବା ସହ ଔଷଧ ବାଣ୍ଟିଛନ୍ତି ଏବଂ ଲୋକଙ୍କୁ ସତର୍କ କରିଛନ୍ତି ।
ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିବାକୁ ଏହାରି ଭିତରେ ୧୦ ଦିନ ବିତିଗଲାଣି ତଥାପି ନିୟନ୍ତ୍ରଣକୁ ଆସିନି । ଯାଜପୁରରେ ଥିବା ୧୩ଟି ହସ୍ପିଟାଲରେ ଆଜି ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି । ଗୁରୁତର ହୋଇଥିବା ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକରେ ମଧ୍ୟ ମାଡି ଚାଲିଛି ଡାଇରିଆ ଏବଂ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଭଣ୍ଡାରିପୋଖରୀ, ଧାମନଗର ପରେ ଆରଡ଼ି ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଆରଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆଜି ୮ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏସବୁ ଭିତରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍ କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି । କଟକ ଟାଙ୍ଗି- ଚୌଦ୍ବାର ଅଞ୍ଚଳକୁ ତିନି ଜଣିଆ ଟିମ୍ ଯାଇ ଜଳ ଉତ୍ସଗୁଡିକର ଯାଞ୍ଚ କରିଛନ୍ତି ଏବଂ ଲୋକଙ୍କୁ ସଚେତନ କରିଛନ୍ତି । ସେହିପରି ଯାଜପୁର ଗସ୍ତରେ ଯାଇଥିବାବେଳେ ଲୋକଙ୍କୁ ଅଳ୍ପ ଗଭୀର ନଳକୂପ ପାଣି ନପିଇବାକୁ ପରାମର୍ଶ ଦେବା ସହ ଫୁଟା ପାଣି ପିଇବାକୁ କହିଛନ୍ତି ସ୍ବାସ୍ଥ୍ୟ ଟିମ୍ । ବେସରକାରୀ ଭାବେ ଏପର୍ଯ୍ୟନ୍ତ ଡାଇରିଆରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଇନି ।