କନକ ବ୍ୟୁରୋ: ଯାଜପୁରରେ ହଇଜା ଉଦବେଗଜନକ ସ୍ଥିତିରେ ଥିବାବେଳେ ସୋମବାର ଅପରାହ୍ଣ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡ଼ାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀକୁ ଡାଇରିଆ ମାଡ଼ିଗଲାଣି । ତେବେ ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ,ବଡ଼ଚଣା, ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ମାଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଯାଜପୁରର ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ । 

Advertisment
  • ବ୍ୟାପୁଛି ଡାଇରିଆ
  • ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି
  • ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି 

ଯାଜପୁର ଭଳି କଟକର ବିଭିନ୍ନ ଅଞ୍ଚଳରେ ମାଡ଼ିଚାଲିଛି ଡାଇରିଆ । ବାଙ୍କୀ ପରେ ନରସିଂହପୁର, ଚୌଦ୍ବାର- ଟାଙ୍ଗୀ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏପରିକି ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ ସଫା ପଞ୍ଚାୟତ ସୁଆଁରି ଗାଁର ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଅଚାନକ ଝାଡ଼ାବାନ୍ତି ବ୍ୟାପୁଥିବାବେଳେ ଗାଁରେ ପହଞ୍ଚିଛନ୍ତି ଡାକ୍ତରୀ ଟିମ୍ । 

ସେପଟେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳରେ ସ୍ଥିତି ପୁଣିଥରେ ବିଗିଡ଼ିଯାଇଛି । ଷୋଳପୁର ଗାଁର ଆଉ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଘଷିପୁରା ଅଞ୍ଚଳରେ ମଧ୍ୟ ଡାଇରିଆ ନିୟନ୍ତ୍ରଣକୁ ଆସିନି । ଘଷିପୁରା ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୦ ଜଣ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାସହ ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ମଧ୍ୟ ଆସିଛି ଝାଡ଼ାବାନ୍ତିର ଖବର । ଅସ୍ତରଙ୍ଗ ବ୍ଲକର ନୂଆଗଡ଼, ଆଳସାହି, ନଗର, ଛୁରିଅନା ଓ ଅସ୍ତରଙ୍ଗ ପଞ୍ଚାୟତରୁ ପ୍ରାୟ ୩୦ ଜଣ ଝାଡ଼ାବାନ୍ତିରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ଅନ୍ୟପଟେ କେନ୍ଦ୍ରାପଡ଼ା ଏଣ୍ଡର ପଞ୍ଚାୟତର ଶ୍ୟାମସୁନ୍ଦରପୁରରୁ ପାଖ ଗାଁକୁ ଡେଇଁଛି ଡାଇରିଆ । ଝାଡ଼ାବାନ୍ତି ବ୍ୟାପୁଥିବାରୁ ଗାଁ ଲୋକେ ଗ୍ରାମଦେବତୀଙ୍କ ଶରଣ ପଶିଛନ୍ତି । ତା ସହ ଢ଼େଙ୍କନାଳ ଭୁବନ ଅଞ୍ଚଳରେ ମଧ୍ୟ ଝାଡ଼ାବାନ୍ତି ମାଡୁଛି । ସ୍ଥିତି ବିଗୁଡୁଥିବାବେଳେ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ଡାଇରିଆରେ ଆକ୍ରାନ୍ତ ହୋଇ ରାଜ୍ୟରେ ବେସରକାରୀ ଭାବେ ୧୮ଜଣଙ୍କର ମୃତ୍ୟୁ ହେଲାଣି । ହେଲେ ସରକାରୀ ଭାବେ ମାତ୍ର ୫ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।