କନକ ବ୍ୟୁରୋ: ଯାଜପୁରରେ ଅଣାୟତ୍ତ ହେବାରେ ଲାଗିଛି ଝାଡ଼ାବାନ୍ତି । ଡାକ୍ତରଖାନାରେ ସ୍ଥିତି ସଙ୍ଗୀନ । ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା । ଡାକ୍ତରଖାନାରେ ବେଡ୍‌ ଅଭାବ । ସ୍ଥିତି ଏଭଳି ହୋଇଛି କି, ବାରଣ୍ଡାରେ ରୋଗୀଙ୍କୁ ଚିକିତ୍ସା କରିବାକୁ ପଡୁଛି । ତେଣୁ ଆଜି ଜିଲ୍ଲାରେ ଆଉ ୨୦୦ ବେଡ୍‌ ବୃଦ୍ଧି କରାଯାଇଛି । ଯାଜପୁର ଓ ଧର୍ମଶାଳାରେ ୧୦୦ ଲେଖାଏଁ ଶଯ୍ୟା ବଢ଼ିଛି । ଆଜି ଦିନ ୨ଟା ସୁଦ୍ଧା ଜିଲ୍ଲାରେ ୨୮୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ୧୦ଜଣଙ୍କୁ କଟକ ପଠାଯାଇଛି। ଚିକିତ୍ସା ପାଇଁ ଆଉ ୪ଟି ସ୍ବତନ୍ତ୍ର ଟିମ୍‌ ଜିଲ୍ଲାରେ ପହଞ୍ଚିଛନ୍ତି । ଏସ୍‌ସିବି ଓ ଯାଜପୁର ମେଡିକାଲ କଲେଜରୁ ଡାକ୍ତର ଓ ନର୍ସିଂ ଷ୍ଟାଫ୍ ବିଭିନ୍ନ ଡାକ୍ତରଖାନାରେ ମୁତୟନ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଝାଡ଼ାବାନ୍ତିର ଉତ୍ସ ଖୋଜି ପାଇନି ସ୍ବାସ୍ଥ୍ୟ ବିଭାଗ । କାରଣ ଜାଣିବାକୁ ପାଣି, ଖାଦ୍ୟ, ରୋଗୀଙ୍କ ମଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

Advertisment

ଯାଜପୁରରେ ଜୀବନ ନେଉଛି ଝାଡ଼ାବାନ୍ତି । ଅଭିଯୋଗ ଅନୁସାରେ ଝାଡ଼ାବାନ୍ତିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସରକାରୀ ଭାବେ ଏହି ସଂଖ୍ୟା ୪ ବୋଲି କୁହାଯାଉଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଘଟଣା ଆକ୍ରାନ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ସଚିବ ଘନ ଘନ ବୈଠକ କରୁଛନ୍ତି । ପ୍ରଭାବିତ ଅଞ୍ଚଳ ବୁଲୁଛନ୍ତି ନିଜେ ସ୍ବାସ୍ଥ୍ୟ ସଚିବ । ରାଜ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଟିମ୍ ବି ନିୟୋଜିତ ହୋଇଛନ୍ତି । ତେବେ ମୃତକଙ୍କ ଚୂଡ଼ାନ୍ତ ରିପୋର୍ଟ ଜନସ୍ୱାସ୍ଥ୍ୟ ବିଭାଗ ପାଖକୁ ଆସି ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । 
 
ଯାଜପୁର ଝାଡ଼ାବାନ୍ତି ଘଟଣାକୁ ପୂରିବ ୫ଦିନ । ସବୁ ରୋଗୀଙ୍କଠାରେ ସମାନ ଲକ୍ଷଣ ଦେଖିବାକୁ ମିଳିଛି । କିନ୍ତୁ ଏଯାଏ ଜଣାପଡୁନି କାରଣ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ବଢ଼ି ଚାଲିଛି ଭୟର ବାତାବରଣ।