କନକ ବ୍ୟୁରୋ : ଭଦ୍ରକରେ ବ୍ୟାପିଲାଣି ଝାଡ଼ାବାନ୍ତି । ଭଣ୍ଡାରୀପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପୁଛି । ଧାମନଗର ବନ୍ଧଟିଆ ଗାଁର ୧୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମେଡ଼ିକାଲରେ ୫ ଜଣ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ଭଦ୍ରକ ସିଡିଏମଓ । ତେବେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ହେଉନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କଲେରା ନେଇ ଯାଜପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି । ୭୫୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଜିଲ୍ଲାର ଏବେ ବି ୧୩ଟି ସରକାରୀ ଡାକ୍ତରଖାନାରେ ପାଖାପାଖି ୩ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ୫୦ରୁ ଅଧିକ ରେଫର କେସ୍ କଟକ, ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି ।
ଝାଡ଼ାବାନ୍ତି ନିୟନ୍ତ୍ରଣକୁ ଆସୁନଥିବାବେଳେ ଯାଜପୁର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ବ୍ୟାସନଗରକୁ ଯାଇ ଅନୁଧ୍ୟାନ କରିଛନ୍ତି । ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେ ନେଇ ରୋଗୀଙ୍କୁ ପଚାରି ବୁଝିଛନ୍ତି । ରୋଗର ନିୟନ୍ତ୍ରଣ, ନିରାକରଣ ଓ ସଂକ୍ରମଣ ରୋକିବାକୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଲୋକେ ଭୟଭୀତ ନହୋଇ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନର ଏକ ୧୪ଜଣିଆ କେନ୍ଦ୍ରୀୟ ଟିମ୍ ଯାଜପୁର ଗସ୍ତରେ ଆସିଛନ୍ତି । ବିଭିନ୍ନ ମେଡିକାଲକୁ ଯାଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ତେବେ କେଉଁ କାରଣରୁ ଡାଇରିଆ ବ୍ୟାପୁଛି, ତା’ର ପ୍ରକୃତ କାରଣ ଜଣାପଡିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।