କନକ ବ୍ୟୁରୋ :  ମାଥିଲିରେ ଡାଇରିଆ ଭୟ । ଜୀବନ ନେଉଛି ଝାଡାବାନ୍ତି । ମାଲକାନଗିରି ଜିଲା ମାଥିଲି ବ୍ଲକ ଅଂଚଳରେ ଏବେ ଆତଙ୍କ ସୃଷ୍ଟି କରିଛି ଡାଇରିଆ । ଆଦିବାସୀ ପଡା ଗାଁ ଗଣ୍ତାରେ ଝାଡାବାନ୍ତିରେ ପ୍ରାଣ ହରାଉଛନ୍ତି ଲୋକେ । କୁଟୁଣିପାଲି ପଞ୍ଚାୟତ ଅଧିନ ଅଟାଳଗୁଡା ଗାଁରେ ୨ ମହିଳା ପ୍ରାଣ ହରାଇଥିବାବେଳେ ଉପାନ୍ତ ଟେମୃପାଲି ପଞ୍ଚାୟତ ତୁଳସୀ ଗାଁରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଇଛି ଡାଇରିଆ । ଗୋଟିଏ ପରିବାରର ବାପା, ଝିଅ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବ୍ଲକର ବିଭିନ୍ନ ସ୍ଥାନରୁ ଦୈନିକ ଡାଇରିଆ ରୋଗୀ ଚିହ୍ନଟ ହେଉଛନ୍ତି । 

Advertisment

ଡାଇରିଆ ବ୍ୟାପିବା ପରେ ସ୍ବାସ୍ଥ୍ୟ କର୍ମୀ ମାନେ ଗାଁକୁ ଗାଁ ଯାଇ କ୍ୟାମ୍ପ ବସାଇ ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭରା ନଈରେ ପାର ହୋଇ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି ଡାକ୍ତରି ଦଳ । ସାବେରୀ ନଦୀର ଅକାତକାତ ପାଣିରେ ପଶି କର୍ତ୍ତନପାଲିର ଯଟାମଗୁଡାର ଆକ୍ରାନ୍ତଙ୍କୁ ଚିକିତ୍ସା କରିଛନ୍ତି । ସେହିପରି ତୁଳସୀ ପାହାଡ ଅଂଚଳରେ ପହଂଚି ଲୋକଙ୍କୁ ସଚେତନ କରିଛନ୍ତି ସ୍ବାସ୍ଥ୍ୟ କର୍ମୀ । 

 
 ପୂର୍ବରୁ ମଧ୍ୟ ୨ ମାସ ତଳେ ମାଥିଲି ବ୍ଲକରେ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ବ୍ୟାପୁଛି ଡାଇରିଆ । ପିଇବା ପାଣି ଓ ବିଶାକ୍ତ ଖାଦ୍ୟ ଖାଇ ଏପରି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଥିବାବେଳେ ଲୋକେ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଆସିବା ସ୍ବାସ୍ଥ୍ୟ ବିଭାଗର ମୁଣ୍ତ ବିନ୍ଧାର କାରଣ ପାଲଟିଛି ।