କନକ ବ୍ୟୁରୋ : ବାଲେଶ୍ଵର ଉତ୍କଳ ବାଳାଶ୍ରମରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଗତକାଲି ୨୪ଜଣ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ଆଉ ୧୪ଜଣଙ୍କର ଚିକିତ୍ସା ଚାଲିଛି । ଆସନ୍ତା କାଲି ସ୍କୁଲ ଖୋଲୁଥିବାରୁ ଅନ୍ୟ ପିଲାମାନେ ମଧ୍ୟ ଆସିବେ । ଏହାକୁ ଦୃଷ୍ଚିରେ ରଖି ବାଳାଶ୍ରମକୁ ବିଶୋଧନ କରାଯିବା ସହ ଖାଦ୍ୟ ପେୟ ଉପରେ ଗୁରୁତ୍ୱ ଦିଆଯାଇଛି ।
ହସ୍ପିଟାଲ ବେଡ଼ରେ ଛୋଟ ଛୋଟ ପିଲା । କାହାକୁ ସାଲାଇନ୍ ଲାଗିଛି ତ କିଏ ନିସ୍ତେଜ ହୋଇ ପଡ଼ି ରହିଛି । ଗତକାଲି ଉତ୍କଳ ବାଳାଶ୍ରମର ୧୭ଜଣ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ସୁସ୍ଥ ହୋଇ ଫେରିଲେଣି ଆଉ କିଛି ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ବଡ଼ ଚିନ୍ତା ହେଉଛି ଆସନ୍ତାକାଲି ଖୋଲିବ ସ୍କୁଲ । ଆଶ୍ରମକୁ ଅନ୍ୟ ଅନ୍ତେବାସୀ ଫେରିବେ । ତେଣୁ ଆଶ୍ରମରେ ବ୍ଲିଚିଂ ପକାଯିବା ସହ ପାଣି ଟାଙ୍କି, ରୋଷେଇ ଘର ଓ ଶୌଚାଳୟକୁ ପରିଷ୍କାର କରାଯାଇଛି ।
ବର୍ତ୍ତମାନ ୫୦ଜଣ ପିଲା ଆଶ୍ରମରେ ଥିବା ବେଳେ, ଆସନ୍ତାକାଲି ଅନ୍ୟ ପିଲାମାନେ ଆସିବେ । ସେମାନଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ରଜ ପରେ କିଛି ପିଲା ଘରୁ ଆସିବା ପରଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଗୋଟିଏ ଶୌଚାଳୟ ପିଲାମାନେ ବ୍ୟବହାର କରୁଥିବାରୁ ସଂକ୍ରମଣ ହୋଇଥାଇ ପାରେ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ । ସ୍ଥିତିକୁ ଦୃଷ୍ଟିରେ ରଖି ବାଳାଶ୍ରମରେ ପିଲାମାନଙ୍କୁ ଖାଦ୍ୟପେୟରେ ପରିବର୍ତ୍ତନ କରାଯାଇଛି । ସିଝା ସନ୍ତୁଳା ସହ ଓଆର୍ଏସ୍ ପିଇବାକୁ ଦିଆଯାଉଛି ।