କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ବିଶେଷକରି ଗଞ୍ଜାମରେ ସଙ୍ଗିନ ହେବାରେ ଲାଗିଛି ସ୍ଥିତି । ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଂସାମାରି ଗ୍ରାମର ୭୫ ବର୍ଷୀୟା ବୃଦ୍ଧା କେ. ପୁନୀ ରେଡ୍ଡି । ସେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ୪୮ ଜଣ ହଇଜା ଆକ୍ରାନ୍ତ ଏମ୍କେସିଜିରେ ଭର୍ତ୍ତି ହୋଇଛନ୍ତି । ଦୂଷିତ ପିଇବା ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ହିଁ ସଂକ୍ରମଣର କାରଣ ବୋଲି ଜଣାପଡ଼ିଛି । ଅପରପକ୍ଷରେ ଜିଲ୍ଲାରେ ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ପିପିଲିରେ ଭୋଜିଭାତକୁ ନା’ । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ । କଣାସରେ ଗତ ୫ ଦିନରେ ୫୦ ରୁ ଅଧିକ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଜଗନ୍ନାଥପୁର ସମେତ ଅନ୍ୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ପୁରୀ ସିଡିଏମ୍ । ଏହାସହ ବ୍ଲକରେ ଭୋଜିଭାତ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। କଟକଣା ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।
ଖୋର୍ଦ୍ଧା ଜଟଣୀର ରାଣୀପୁରରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ମୃତକ ଜଣକ ହେଲେ ବିଚିତ୍ରା ନନ୍ଦ ମହାନା । ୪ରୁ ୫ଦିନ ଧରି ଲାଗିରହିଥିବା ବେଳେ ୧୬ରୁ ୧୭ ଜଣ ଆକ୍ରାନ୍ତ ଥିବା ଜଣାପଡିଛି । ଗାଁରେ ମଧ୍ୟ ସ୍ୱାସ୍ଥ୍ୟ ଟିମ୍ ଓ ଆରଡବ୍ଲୁଏସଏସ ଟିମ୍ ପହଞ୍ଚି ପାଣିର ନମୁନା ଟେଷ୍ଟ ପାଇଁ ନେଇଛନ୍ତି ।