କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ପ୍ରତିଟି ଘରର ବଡ଼ ଟେନସନ୍ ହେଉଛି ଡାଇବେଟିସ୍ ରୋଗ । ପୂର୍ବରୁ କେବଳ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ରୋଗ ହେଉଥିବା ବେଳେ ବର୍ତ୍ତମାନ କମ୍ ବୟସ୍କ ପିଲା ମଧ୍ୟ ଡାଇବେଟିସର ଶିକାର ହେଉଛନ୍ତି । ଡାଇବେଟିସ୍ ହେଲେ ଆମେ ସଙ୍ଗେ ସଙ୍ଗେ ଭାବୁ ଯେ ଅଧିକ ମିଠା ଖାଇବା ଦ୍ବାରା ଶରୀରରେ ସୁଗରର ସ୍ତର ବଢ଼ିଥାଏ । କିନ୍ତୁ ଏହା କେବଳ ଏକ ଭ୍ରାନ୍ତ ଧାରଣା ମାତ୍ର । ପାଠକବନ୍ଧୁ ହଁ , ଅଧିକ ମିଠା ଖାଇବା ଦ୍ବାରା ଡାଇବେଟିସର ଆଶଙ୍କା ବଢ଼େ ନାହିଁ ବରଂ ଶରୀରରେ ଇନସୁଲିନ୍ ପ୍ରତିରୋଧ ହେଲେ ବଢ଼ିଥାଏ । ଇନସୁଲିନ ଏକ ହର୍ମୋନ, ଯାହା କୋଷଗୁଡ଼ିକୁ ଗ୍ଲୁକୋଜ ପହଞ୍ଚାଇଥାଏ । କିନ୍ତୁ ଡାଇବେଟିସ ରୋଗ ହେଲେ ଶରୀର ଇନସୁଲିନ ପ୍ରତି ପ୍ରତିକ୍ରିୟା କରେ ନାହିଁ କିମ୍ବା ଇନସୁଲିନ ଉତ୍ପାଦନ କରେ ନାହିଁ । ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯାଏ ଯେ ଡାଇବେଟିସ ସେହି ଲୋକଙ୍କୁ ମଧ୍ୟ ହୋଇପାରେ, ଯେଉଁମାନେ ମିଠା ଖାଇବାକୁ ପସନ୍ଦ କରନ୍ତି ନାହିଁ କିମ୍ବା କମ୍ ମିଠା ଖାଆନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ତେବେ ଲୋକମାନଙ୍କୁ ଡାଇବେଟିସର ଅଭିଯୋଗ କାହିଁକି ଆସେ ? ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଡାଇବେଟିସର ସମସ୍ୟା ସେହି ଲୋକମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳେ ଯେଉଁମାନେ ସୁସ୍ଥ ଜୀବନଶୈଳୀ ଏବଂ ଡାଏଟକୁ ପାଳନ କରନ୍ତି ନାହିଁ । ଲୋକେ ଜାଣିକରି ହେଉ କିମ୍ବା ଅଜାଣତରେ ଏପରି ଜିନିଷର ସେବନ କରିନିଅନ୍ତି ଯାହା ସ୍ୱାଦରେ ମିଠା ନହେଲେ ମଧ୍ୟ ସେଥିରେ ସୁଗରର ମାତ୍ରା ଅଧିକ ଥାଏ । ଯେଉଁ କାରଣରୁ ଶରୀରରେ ସୁଗରର ସ୍ତର ବଢ଼ିପାରେ । ତେବେ ଆସନ୍ତୁ ଜାଣିବା ଚିନି ବ୍ୟତୀତ ଶରୀରରେ ସୁଗର ସ୍ତର ବଢ଼ାଉଥିବା ଏପରି କିଛି ଦ୍ରବ୍ୟ ବିଷୟରେ ।
ଭାତ :
ଡାଇବେଟିସ୍ ରୋଗୀଙ୍କୁ ଡାକ୍ତର ପ୍ରଥମେ ଭାତ ଖାଇବା ପାଇଁ ମନା କରନ୍ତି । ଯଦି ଆପଣ ଭାତ ପ୍ରେମୀ ଅଟନ୍ତି ଏବଂ ଦିନରାତି ଅଧିକ ପରିମାଣରେ ଭାତର ସେବନ କରନ୍ତି, ତେବେ ଆପଣଙ୍କୁ ଡାଇବେଟିସ ହୋଇପାରେ । ଏପରି ହେବାର କାରଣ ହେଉଛି ଭାତରେ କାର୍ବୋହାଇଡ୍ରେଟର ମାତ୍ରା ଏବଂ ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ରହିଥାଏ । ଯାହା ରକ୍ତରେ ସୁଗର ସ୍ତରକୁ ହଠାତ୍ ବଢ଼ାଇପାରେ ।
ମଇଦା :
ସନ୍ଧ୍ୟା ଚା’ ସହିତ ଅଧିକାଂଶ ଭାରତୀୟ ଘରେ ମଇଦାରେ ତିଆରି ସ୍ନାକ୍ସ ଆଇଟମ ପରସା ଯାଇଥାଏ । କିନ୍ତୁ ଏହି ଜିନିଷଗୁଡ଼ିକର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ହୋଇଥାଏ । ଏହା ବ୍ୟତୀତ ଏହି ଜିନିଷଗୁଡ଼ିକ ଶରୀରରେ କ୍ୟାଲୋରୀର ମାତ୍ରା ବଢ଼ାଇ ରକ୍ତରେ ସୁଗର ସ୍ତରକୁ ମଧ୍ୟ ଶୀଘ୍ର ବଢ଼ାଇପାରେ ।
କମ୍ ପାଣି ପିଇବା :
ଡାଇବେଟିସ ରୋଗୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ୍ । ଶରୀରରେ ପାଣିର ଅଭାବ ହେଲେ ରକ୍ତରେ ସୁଗରର ସ୍ତର ବଢ଼ିପାରେ । ଏଭଳି ପରିସ୍ଥିତିରେ ଦିନସାରା ଅତି କମରେ ତିନିରୁ ଚାରି ଲିଟର ପାଣି ପିଇବା ଦ୍ୱାରା କିଡନିକୁ ଅତିରିକ୍ତ ସୁଗର ବାହାର କରିବାରେ ସାହାଯ୍ୟ ମିଳିଥାଏ ।
ଚିନି ଥିବା ଫଳ :
ଅଙ୍ଗୁର, କମଳା,ତରଭୂଜ ଏବଂ ଆମ୍ବ ଭଳି ଫଳର ରସରେ ସୁଗରର ମାତ୍ରା ଭଲ ଥାଏ । ଯାହା ରକ୍ତରେ ସୁଗର ସ୍ତରକୁ ବଢ଼ାଇପାରେ । ଏହି ସବୁ ଫଳ ସୁଗର ସ୍ତରକୁ ବଢ଼ାଇପାରନ୍ତି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କୁ ପଚାରି ଡାଏଟରେ ସଠିକ ଫଳ ସାମିଲ କରନ୍ତୁ ।