କନକ ବ୍ୟୁରୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ, ଜଣେ ସୁସ୍ଥ ରହିଲେ ଭଲ କାମ କରିବେ । ସରକାରୀ ହେଉ ବା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଶାରୀରିକ ସୁସ୍ଥତା ନିହାତି ଆବଶ୍ୟକ । ବିଶେଷ କରି ଅଣସଂକ୍ରାମକ ରୋଗର ନିରାକରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । କାର୍ଯ୍ୟାଳୟରେ ଡିସ୍‌ପ୍ଲେ ବୋର୍ଡ ଲଗାଇବା ପାଇଁ ଚିଠି ହୋଇଛି ।

Advertisment

ସରକାରୀ ଅଧିକାରୀଙ୍କ ସ୍ବାସ୍ଥ୍ୟ ଉପରେ ସରକାରଙ୍କ ଫୋକସ୍‌ । ସରକାରୀ ଅଧିକାରୀ କିପରି ନିଜକୁ ଫିଟ୍ ରଖିବେ, ସେଥିପାଇଁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଡିସପ୍ଲେ ବୋର୍ଡ । ତୈଳଜନିତ ଖାଦ୍ୟ ଓ ମିଠାଜନିତ ଖାଦ୍ୟରୁ ଦୂରେଇ ରହିବାକୁ ବୋର୍ଡରେ ପ୍ରଦର୍ଶିତ ହେବ । ସୁସ୍ଥ ଜୀବନଶୈଳୀ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ଚିଠି କରିଛନ୍ତି ସ୍ବତନ୍ତ୍ର ସଚିବ । ସୋସିଆଲ ମିଡିଆ ଜରିଆରେ ସ୍ୱାସ୍ଥ୍ୟ ସଂପର୍କିତ ବାର୍ତ୍ତା ଦିଆଯିବ । କାର୍ଯ୍ୟାଳୟରୁ ହିଁ ସୁସ୍ଥ ଜୀବନ ବାର୍ତ୍ତା ବାଣ୍ଟିବାକୁ ପରାମର୍ଶ। 

ଦିନକୁ ଦିନ ମଧୁମେହ ଓ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ବିଶେଷକରି ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟକୁ ଦାୟୀ କରାଯାଉଛି । ଖାଇବା ପିଇବାରେ ନିୟନ୍ତ୍ରଣ ରହୁନାହିଁ । ଜଙ୍କଫୁଡ୍, ତୈଳଜନିତ ଖାଦ୍ୟ, ମଇଦା ଆଦି ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର । ଏପରିକି କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ତେବେ ଏହା କେବେଠାରୁ କାର୍ଯ୍ୟକାରୀ ହେବ, ତାହା ଦେଖିବାକୁ ବାକି ରହିଲା ।