କନକ ବ୍ୟୁରୋ: ଅକ୍ଟୋବର ମାସ ୧ ତାରିଖ ଭୋର ସମୟରେ ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପ ସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଦେଖାଯାଇଛି ଓ ଏହାର ଫଟୋ ମଧ୍ୟ ନିଆଯାଇଛି । ଆମ ରାଜ୍ୟର ରାକେଶ କୁମାର ରାଉଳ, ଫଟୋ ଜର୍ଣାଲିଷ୍ଟ ଏହି ଧୂମକେତୁର ଏକ ଫଟୋ ନେଇଥିବାର ସୂଚନା ରହିଛି । ସେ ପୂର୍ବରୁ ଏହି ପରି ଅନେକ ଫଟୋ ନେଇଛନ୍ତି । ତାଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିବା ଚନ୍ଦ୍ର ସହ ଧୂମକେତୁ ‘ସି/୨୦୨୩ ଏ-୩’ ର ଫଟୋଟି ଅତି ସୁନ୍ଦର ହୋଇଛି ।

Advertisment

‘ସି/୨୦୨୩ ଏ-୩’ ଧୂମକେତୁଟି ଅକ୍ଟୋବର ମାସ ୧୫ ରୁ ୨୦ ତାରିଖ ଖାଲି ଆଖିକୁ ଦେଖାଯିବର ସମ୍ଭାବନା ରହିଛି । ଏହା ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲି କିଛି ବୈଜ୍ଞାନିକ ଅନୁମାନ ମଧ୍ୟ କରିଛନ୍ତି । ଅକ୍ଟୋବର ମାସ ୧୨ ତାରିଖରେ ପ୍ରାୟ ୭ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ । ୧୫ ତାରିଖ ସନ୍ଧ୍ୟା ୬:୧୫ ସମୟରେ ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ । ପରେ ଧିରେ ଧିରେ ତଳଆଡ଼କୁ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ । ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍ ସନ୍ଧ୍ୟା ୬:୧୫ ରେ ପୂର୍ବଦିନ ଠାରୁ ପ୍ରାୟ ୪ ଡିଗ୍ରୀ ଉପରେ ଦେଖାଯିବ ଓ ପୂର୍ବ ଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୨ ମିନିଟ୍ ଅଧିକ ସମୟ ନେବ । ଏହିପରି ଦିନ ପରେ ଦିନ ଧିରେ ଧିରେ ଏହା ଉପରରୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ ଡିଗ୍ରୀ ଉପରେ ପହଞ୍ଚିବ । ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ୱଳତା କମି କମି ୨୦ ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ‘ସି/୨୦୨୩ ଏ-୩’ ଧୂମକେତୁଟି ପୁଣି ଆଉଥରେ ଆମ ପାଖକୁ ଆସିବ ଆଉ ୮୦ ହଜାର ବର୍ଷ ପରେ ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତାକୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍‌ସା ଲାଞ୍ଜଟିଏ ଦେଖାଯିବ । ବିଭିନ୍ନ ଫଟୋ ବା ଟିଭି ରେ ଦେଖାଯାଉଥିବା ଚିତ୍ର ଭଳି ଏହା ଏତେ ବଡ ଓ ଉଜ୍ଜଳ କେବେବି ଖାଲି ଆଖିକୁ ଦେଖାଯିବ ନାହିଁ । ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ଫଟୋ ଓ ଚିତ୍ର ଗୁଡ଼ିକ ଦୂରବୀକ୍ଷଣରେ ନିଆଯାଇ କମ୍ପ୍ୟୁଟର୍‌ରେ ପ୍ରକ୍ରିୟାକରଣ କରାଯାଇଥାଏ ।

ଧୂମକେତୁଟିକୁ ଦେଖିବା ପାଇଁ ଅକ୍ଟୋବର ମାସ ୧୫ ରୁ ୨୦ ତାରିଖ ମଧ୍ୟରେ ଏକ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ପଶ୍ଚିମ ଦିଗ୍‌ବଳୟ ବାଛନ୍ତୁ । ଦୀର୍ଘ ୨୭ ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି । ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଛାତ୍ରଛାତ୍ରୀ ଏପରି ଏକ ବିରଳ ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ