ସଂଘର୍ଷ ଯଦି ଅଭ୍ୟାସରେ ପରିଣତ ହୁଏ
ମୁକୁଟ ପିନ୍ଧାଇବା ପାଇଁ ସଫଳତା ନିଜେ ଚାଲି ଆସେ ..
ଉପରୋକ୍ତ ଲେଖାଟି ବୋଧହୁଏ ଆଗକୁ ଆମେ ବ୍ୟାଖା କରୁଥିବା ବ୍ୟକ୍ତିତ୍ବଙ୍କ ଜୀବନର ନିରାଟ ସତ୍ୟ । ନାଁ ତାଙ୍କର ସ୍ବର୍ଗତ ଧିରୁଭାଇ ଅମ୍ବାନୀ । ସାମ୍ରାଜ୍ୟ କହିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ । ଯାହାର ନାଁ ସାରା ଦେଶରେ ଏକ ଖ୍ୟାତ । ଅଏଲ୍ , ଗ୍ୟାସ୍ ଠାରୁ ଆରମ୍ଭ କରି ଗ୍ରୀନ୍ ଏନର୍ଜି , ଟେଲିକମ୍ ରୁ ନେଇ ରିଟେଲ୍ ମାର୍କେଟ୍ ପର୍ଯ୍ୟନ୍ତ ବ୍ୟାପିଛି ଏହି କମ୍ପାନୀର କାରବାର । ଯାହାର ସ୍ଥାପନା ମୁକେଶ୍ ଅମ୍ବାନୀ ଏବଂ ଅନିଲ୍ ଅମ୍ବାନୀଙ୍କ ପିତା ଧିରୁଭାଇ ଅମ୍ବାନୀ କରିଥିଲେ । ୨୮ ଡିସେମ୍ବର ୧୯୩୨ ରେ ଜନ୍ମଗ୍ରହଣ କରିଥିବା ଧିରୁଭାଇଙ୍କ ସଂଘର୍ଷର କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ । ରିଲାଏନ୍ସର ଶିଳାନ୍ୟାସ କରିଥିବା ଧିରୁଭାଇ ସୁନାର ଚାମଚ ପାଟିରେ ଧରି ଜନ୍ମ ହୋଇନଥିଲେ ବରଂ ସଂଘର୍ଷର ମାଡ଼ ଖାଇ ଖାଇ ପେଟ୍ରୋଲ୍ ପମ୍ପରେ ଚାକିରି କରି ନିଜର ବ୍ୟବସାୟର ସାମ୍ରାଜ୍ୟ ଛିଡ଼ା କରାଇଥିଲେ ।
ଧୀରଜଲାଲ୍ ହୀରାଚାନ୍ଦ ଅମ୍ବାନୀ ବା ଧିରୁଭାଇ ଅମ୍ବାନୀ ନିଜର ପରିଶ୍ରମ ବଳରେ ଆଜି ବାଣିଜ୍ୟିକ କାରବାରକୁ ବହୁ ଆଗକୁ ବଢାଇ ପାରିଛନ୍ତି । ୨୦୦୨ ମସିହାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା । ନିଜ ଘରୁ ମାତ୍ର ୫୦୦ ଟଙ୍କା ନେଇ ବେପାର କରିବେ ବୋଲି ଆସିଥିଲେ ଧିରୁଭାଇ । ପରେ ସେହି ୫୦୦ ଟଙ୍କାରେ ହିଁ ପ୍ରଥମେ ବେପାର ଆରମ୍ଭ କରିଥିଲେ । କିନ୍ତୁ ୨୦୦୨ ମସିହାରେ ଯେବେ ତାଙ୍କର ଦେହାନ୍ତ ହେଲା ସେତେ ବେଳେ ରିଲାଏନ୍ସ ୬୨ ହଜାର କୋଟିର କମ୍ପାନୀ ହୋଇସାରିଥିଲା । ଦୁନିଆରେ ଜଣେ ସଫଳ ବ୍ୟକ୍ତି ହିସାବରେ ସମସ୍ତେ ତାଙ୍କୁ ଜାଣନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ କେବେ ବି ୧୦ ଘଣ୍ଟାରୁ ଅଧିକ ସମୟ କାମ କରୁନଥିଲେ ।
ସେ ଏକ ସଭାରେ କହିଥିଲେ ଯେ “ ଯେଉଁମାନେ କୁହନ୍ତି ଆମେ ମାନେ ୧୨ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛୁ ସେମାନେ କାମରେ ପୂରା ଦୁର୍ବଳ କିମ୍ବା ସେହି ଗୋଟିଏ କାମକୁ ଅଧିକ ସମୟ କରିବାରେ ଅଭ୍ୟସ୍ତ” । ଏକ ରିପୋର୍ଟରୁ ଜଣାଯାଇଛି ଯେ, ସେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ନିଜର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିଜର ବଡି ମସାଜ୍ କରିସାରିଲା ପରେ ସିଧା ତାଙ୍କ ଘରକୁ ଯାଉଥିଲେ । ଧିରୁଭାଇଙ୍କୁ ପାର୍ଟି, ଟ୍ରାଭେଲ୍ସ କିମ୍ବା ବିଦେଶ ଯାତ୍ରା ପସନ୍ଦ ନଥିଲା । ତେଣୁ ସେ କମ୍ପାନୀ କାମରେ ନିଜର ଅଧିକାରୀଙ୍କୁ ହିଁ ବିଦେଶ ପଠାଉଥିଲେ ।
ଧିରୁଭାଇଙ୍କ ମନ ଯେତେବେଳେ ପାଠପଢାରେ ଲାଗିଲାନାହିଁ ସେ ମାତ୍ର ୧୭ ବର୍ଷ ବୟସରେ ଟଙ୍କା ରୋଜଗାର କରିବା ପାଇଁ ନିଜ ଭାଇ ରମଣିକଲାଲଙ୍କ ପାଖକୁ ୟମନ୍ ଚାଲିଯାଇଥିଲେ । ୧୯୪୯ ରେ ବିଦେଶ ଯାତ୍ରା କରିଥିବା ଧିରୁଭାଇ ୩୦୦ ଟଙ୍କା ଦରମାରେ ଗୋଟିଏ ପେଟ୍ରୋଲ୍ ପମ୍ପରେ ଚାକିରି କଲେ । କମ୍ ଦରମା ଥିଲେ ବି ସେ ସଚ୍ଚୋଟତା ଏବଂ ପରିଶ୍ରମର ସହ ସେ କାମ କରୁଥିଲେ । ଯେଉଁଥିରେ ଖୁସି ହୋଇ ପେଟ୍ରୋଲ୍ ପମ୍ପ ମାଲିକ ତାଙ୍କୁ ମ୍ୟାନେଜର୍ ପଦବୀ ଦେଇଥିଲେ । ୫ ବର୍ଷ ପରେ ମନରେ ଏକ ଆଇଡିଆ ନେଇ ଧିରୁଭାଇ ଭାରତ ଫେରିଲେ । କିଛି ଦିନ ଘରେ ପରିବାର ସହ ସମୟ ବିତାଇ ମାତ୍ର ୫୦୦ ଟଙ୍କା ଧରି ସେ ମୁମ୍ବାଇ ଆସିଲେ । ମୁମ୍ବାଇ ଆସୁ ଆସୁ ସେ ଫଟାଫଟ୍ କିଛି କାମ ଆରମ୍ଭ କଲେନାହିଁ ବରଂ ଅନେକ ବଜାର ବୁଲିଲେ ଏବଂ ସବୁ ସ୍ଥିତିକୁ ଅତି ପାଖରୁ ପରଖିଲେ । ଭାରତରେ ପେଟ୍ରୋଲର ଚାହିଦା ଏବଂ ବିଦେଶରେ ମସଲାର ଡିମାଣ୍ଡକୁ ସେ ବୁଝିପାରିଲେ । ତାପରେ ଆରମ୍ଭ ହେଲା ଧିରୁଭାଇ ଅମ୍ବାନୀ ଯୁଗ । ସମୟ ସହ ମାତ୍ ଦେଇ ସାମ୍ରାଜ୍ୟ ଛିଡ଼ା କଲେ ଧିରୁଭାଇ ।
୨୦୦୨ ମସିହା ଜୁଲାଇ ୬ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ ଧିରୁଭାଇ ଅମ୍ବାନୀ । ସ୍ବାମୀଙ୍କ ମୃତ୍ୟୁ ପରେ ଧର୍ମପତ୍ନୀ କାନ୍ଧରେ ପଡ଼ିଲା କମ୍ପାନୀର ଭାର । କିଛି ବର୍ଷ ସ୍ତ୍ରୀ କୋକିଲାବେନ୍ ଅମ୍ବାନୀ କାରବାରର ଯତ୍ନ ନେଇଥିଲେ । ପରେ ୨ ପୁଅ ମୁକେଶ୍ ଅମ୍ବାନୀ ଏବଂ ଅନିଲ୍ ଅମ୍ବାନୀ ସମ୍ଭାଳିଥିଲେ କମ୍ପାନୀର ଭାର ।