କନକ ବ୍ୟୁରୋ : ଢେଙ୍କାନାଳ ତହସିଲଦାରଙ୍କ ଗାଡ଼ି ଓ ଆସବାପତ୍ର ସିଜ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଜମି ଅଧିଗ୍ରହଣ ଟଙ୍କା ନ ଦେବାରୁ ସିଜ୍ ହେବ ତହସିଲଦାରଙ୍କ ଅଫିସ ଆସବାବପତ୍ର । ଏନେଇ ଢେଙ୍କାନାଳ ସିଭିଲ କୋର୍ଟର ସିଭିଲ୍ ଜଜ୍ ସିନିୟର ଡିଭିଜନ ରାୟ ଶୁଣାଇଛନ୍ତି । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ସିଭିଲ୍ କୋର୍ଟ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସୂଚନା ଅନୁଯାୟୀ ବାଜିଚୌକ ନିକଟରେ ଥିବା ଫ୍ଲାଏଓଭର୍ ବ୍ରିଜ ପାଇଁ ହୋଇଥିବା ଜମି ଅଧିଗ୍ରହଣ ସମୟରେ ଜମି ମାଲିକଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା କଥା । ୨୦୧୩ ମସିହାରେ ଜମି ଅଧିଗ୍ରହଣକୁ ନେଇ ଢେଙ୍କାନାଳ ସିଭିଲ୍ କୋର୍ଟରେ କେସ୍ କରିଥିଲେ ଜମି ମାଲିକ । ସେତେବେଳେ ୧୨ ଡେସିମିଲି ଜମି ଅଧିଗ୍ରହଣ ହୋଇଥିଲା । ୨୦୨୩ ମସିହାରେ ଘଟଣାର ଶୁଣାଣି କରି ସିଭିଲ୍ ଜଜ୍ କ୍ଷତିଗ୍ରସ୍ତଙ୍କୁ ସୁଧ ବାବଦକୁ ୧୩ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଟଙ୍କା ଦିଆଯାଇ ନଥିବାରୁ ଲ୍ୟାଣ୍ଡ ଆକ୍ୟୁଜିସନ୍ ଅଫିସର୍ ତଥା ତହସିଲଦାରଙ୍କ ଦ୍ୱାରା ବ୍ୟବହୃତ ଆସବାବପତ୍ର ସିଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବାବଦରେ ତହସିଲଦାରଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ ଗାଡ଼ି, ଆଲମିରା, କମ୍ପ୍ୟୁଟର, ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ସିଜ୍ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।