କନକ ବ୍ୟୁରୋ: ଗିରଫ ହେଲେ ଢେଙ୍କାନାଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ, କଟକ ଓ ଭୁବନେଶ୍ୱରର ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। 

Advertisment

ରେଡ଼ ବେଳେ ବାବୁଙ୍କ ରାଜ୍ୟ ବାହାରେ ବି ରହିଛି ପ୍ଲଟ ଥିବା ଜଣାପଡ଼ିଥିଲା ।  ହାଇଦ୍ରାବାଦରେ ଢେଙ୍କାନାଳ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଦୁଇଟି ଫ୍ଲାଟ୍ ରହିଛି । ଭୁବନେଶ୍ବର ଓ ଢେଙ୍କାନାଳରେ ୮ଟି ପ୍ଲଟ ରହିଛି। ୪ଲକ୍ଷ ୧୩ ହଜାର ନଗଦ ଟଙ୍କା ସହ ୩୦୦ ଗ୍ରାମ ସୁନା ଜବତ ହୋଇଛି। ଏହାସହ ସରକାରୀ ବାବୁଙ୍କ  ଦାମୀ ଘଣ୍ଟା ସଉକ ବି ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଘରେ ଚଢ଼ାଉ ବେଳେ ବାବୁଙ୍କ ଦାମୀ ଓ ବ୍ରାଣ୍ଡେଡ୍ ଘଣ୍ଟା ସାମ୍ନାକୁ ଆସିଥିଲା । ପ୍ରାୟ ୧୦ଟି ନାମୀଦାମୀ ବ୍ରାଣ୍ଡର ଘଣ୍ଟା ରହିଥିଲା । ଚଢାଉ ସମୟରେ ଦୁଇଟି ଦାମୀ ଚାରିଚକିଆ ଓ ୬ଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି।  

ଆଠଗଡ଼ରେ ୫ଏକର ଜମିରେ ସରକାରୀ ବାବୁଙ୍କ ଫାର୍ମ ହାଉସରେ ବି ଚଢ଼ାଉ ହୋଇଥିଲା ।  ବିଭୁଦାନନ୍ଦଙ୍କ ଫାର୍ମ ହାଉସରେ ବତକ, ଠେକୁଆ ଓ ମୟୂର ପାଳିଥିଲେ  । କୌଣସି ରିସର୍ଟଠାରୁ କମ୍ ନଥିଲା ବାବୁଙ୍କ ଫାର୍ମ ହାଉସ। ଏହାକୁ ଦେଖିଲେ ଅନୁମାନ କରିହେଉଛି ବାବୁଙ୍କ ସଉକ କେମିତି ଥିଲା। ଏହାସହ ତାଙ୍କ ପୈତୃକ ବାସଭବନ, ଭାଇ ଓ ସମ୍ପର୍କୀୟଙ୍କ ଘର ଓ କାର୍ୟ୍ୟାଳୟରେ ଛାନଭିନ କରିଥିଲା। ଢେଙ୍କାନାଳ ରତ୍ନ ବଜାରରେ ଥିବା ଦୁଇଟି କୋଠା, ସମ୍ପର୍କୀୟଙ୍କର ଘର,  ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ଘର, ଆଠଗଡ଼ରେ ଥିବା ପୈତୃକ ଘର ଓ ସରକାରୀ କ୍ୱାର୍ଟର ଓ କାର୍ୟ୍ୟାଳୟରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଆଠଗଡ଼ରେ ଥିବା ଇସି ବ୍ରଏଲର ଫାର୍ମରେ ବି ଚଢ଼ାଉ ହୋଇଥିଲା।