କନକ ବ୍ୟୁରୋ : ହାତୀ-ମଣିଷ ଲଢେଇକୁ ରୋକିବା ଦିଗରେ ସରକାର ଅଣ୍ଟା ଭିଡ଼ିଛନ୍ତି ସତ ହେଲେ ବନବିଭାଗର ଏଥିପ୍ରତି ଯେପରି ନିଘା ନାହିଁ । ଅନ୍ୟ ବନଖଣ୍ଡରୁ ଗୋଠଛଡା ହାତୀ ଆସି ମଣିଷ ମାରୁଛି ହେଲେ ବନବିଭାଗର ସତର୍କତା କେବଳ କାଗଜ କଲମରେ ସୀମିତ । ମନ୍ତ୍ରୀ ବିଭାଗୀୟ କର୍ମଚାରୀଙ୍କ ସୁରକ୍ଷାଦାତା ସାଜିଥିବା ବେଳେ ଲୋଚାପଲ୍ଲୀ ଗାଁର ଅଘଟଣ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରିଛି ।
ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ପାଟପୁରିଆ ଜଙ୍ଗଲକୁ ଯାଉଥିଲେ ଲୋଚାପଲ୍ଲୀ ଗାଁର ମହିଳା । ହେଲେ ଗୋଠଛଡ଼ା ହାତୀ ମୃତ୍ୟୁ ସାଜି ଯେ ଛକି ରହିଥିଲା ତାହା ଜାଣିନଥିଲେ ମହିଳା । ଅନ୍ୟ ବନ୍ୟାଞ୍ଚଳରୁ ଆସି ଗୋଠଛଡା ଦନ୍ତା ପାଟପୁରିଆ ଜଙ୍ଗଲରେ ବୁଲୁଥିଲେ ମଧ୍ୟ ବନବିଭାଗ ଅଚିନ୍ତାରେ ଶୋଇଥିଲା । ଜଙ୍ଗଲ ଭିତରକୁ ନ ଯିବାକୁ ନା ସତର୍କ କରିଥିଲା ନା ଟିମ୍ର ସଦସ୍ୟ ପାଟ୍ରୋଲିଂ କରୁଥିଲେ । ବନବିଭାଗର ଏଭଳି ବେପରୁଆ ନୀତିର ପରିଣାମ ଭୋଗିଲେ ନୀରିହ ମହିଳା । ଦନ୍ତା ଦଳିଦେବାରୁ ୩ ଜୀବନ ଯାଇଛି । ସେହି କାଳ ମୁହୂର୍ତ୍ତକୁ ମନେ ପକାଇ ଏବେ ଭୟଭୀତ ଆହତ ମହିଳା । ଏତେ ବଡ଼ ଅଘଟଣ ପରେ ମଧ୍ୟ ବନବିଭାଗ ଦୋଷ ମୁଣ୍ଡାଇବାକୁ ନାରାଜ ।
ଅଧିକ ପଢ଼ନ୍ତୁ : ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢ଼େଇ ; ବନବିଭାଗ ଉପରେ ଅସନ୍ତୋଷ ଝାଡିଲେ ଗ୍ରାମବାସୀ
ମଣିଷ-ହାତୀ ଲଢେଇର ପରିଣାମ ପାଲଟିଛି ମୃତ୍ୟୁ । କେତେବେଳେ ମଣିଷର ଜୀବନ ଯାଉଛି ତ ପୁଣି କେତେବେଳେ ହାତୀ ହରାଉଛି ଜୀବନ । ଏହାକୁ ରୋକିବା ଦିଗରେ ନାନାଦି ଯୋଜନା କରୁଛନ୍ତି ସରକାର । ଖାଦ୍ୟାଭାବ ପାଇଁ ଜନବସତି ଆଡ଼କୁ ହାତୀ ଯେପରି ନ ଆସିବେ, ସେଥିପାଇଁ ଜଙ୍ଗଲରେ ଧାନ ଚାଷ କରିବାକୁ ଯୋଜନା ହୋଇଥିଲା । ଏପରିକି ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏଆଇ କ୍ୟାମେରା ବ୍ୟବସ୍ଥାକୁ ଆପଣାଯାଇଥିଲା । ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ହାତୀ ଏବେ ବି ଜନବସତି ମୁହାଁ, ଏଆଇ କ୍ୟାମେରାର କାର୍ଯ୍ୟପନ୍ଥା ପ୍ରଶ୍ନଘେରରେ । ଯାହାର ସଦ୍ୟ ଉଦାହରଣ ପାଲଟିଛି ପାଟପୁରିଆ ଜଙ୍ଗଲ ଅଘଟଣ । ବନବିଭାଗ ନିଜର ଅବହେଳାକୁ ଘଣ୍ଟ ଘୋଡାଉଥିବା ବେଳେ ଜଙ୍ଗଲମନ୍ତ୍ରୀ କହିଛନ୍ତି, କିଛି ଅସାମାଜିକଙ୍କ ପାଇଁ ବଢୁଛି ହାତୀ-ମଣିଷ ଲଢେଇ ।
ଗତ ଗୋଟିଏ ବର୍ଷ ମଧ୍ୟରେ ହାତୀ-ମଣିଷ ଲଢେଇରେ କେବଳ ଢେଙ୍କାନାଳରେ ଗଲାଣି ୩୬ ଜୀବନ। ସମଗ୍ର ଓଡ଼ିଶାରେ ଏହି ସଂଖ୍ୟା ଶତାଧିକ । ସରକାରଙ୍କ ମାଳମାଳ ଯୋଜନା ଭିତରେ ପ୍ରଶ୍ନ ଉଠୁଛି, ମଣିଷ-ହାତୀ ଲଢ଼େଇରେ କେବେ ପଡ଼ିବ ଯବନିକା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/dhenkanal-elephant-attack-2026-02-11-22-14-12.jpg)