କନକ ବ୍ୟୁରୋ : ଏନ୍ଇପି କାର୍ଯ୍ୟକାରିତା ନେଇ ତିନି ଦିନିଆ ଜାତୀୟ କର୍ମଶାଳାରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଏନଇପିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ।
ଅତୀତ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏପ୍ରିଲରୁ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ। ପିଲାଙ୍କୁ ଖେଳନା ଆଦି ଦିଆଯିବ। ମେ ଓ ଜୁନ ମାସରେ ଓଡ଼ିଶାର ୫୦ ହଜାର ଗାଁକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ମିଶିକି ଯାଇ ଡ୍ରପ ଆଉଟ ପିଲାଙ୍କୁ ଖୋଜି ପାଠ ପଢ଼ାଇବା ପାଇଁ ଆହ୍ୱାନ କରିବେ ।
ଏନଇପିରେ ମାତୃଭାଷା ସହ ବହୁଭାଷାରେ ଶିକ୍ଷାଦାନ କରାଯିବ । ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପିଲାମାନେ ଯେମିତି ଆତ୍ମନିର୍ଭରଶୀଳ ହେବେ ସେନେଇ ଶିକ୍ଷା ଦିଆଯିବ। ଶିକ୍ଷାରେ ଏଆଇର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ତା କରାଯିବ । ଏନଇପିକୁ ସହଜରେ କାର୍ଯ୍ୟକାରୀ କରାଯାଇପାରିବ ।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷାର ବ୍ୟବଧାନ କମିବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସବୁ ପଂଚାୟତରେ ପରିଣତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପିଏମ ଶ୍ରୀ ସ୍କୁଲ ଲାଗି ଧନ୍ୟବାଦ ଦେଇଛନ୍ତି । ୪୫୦ ପିଏମ ଶ୍ରୀ ସ୍କୁଲ ମିଳିଛି । ଆହୁରି ଅଧିକ ପିଏମ ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ୯୧ଟି ସ୍କୁଲ ସହ ୧୦ଟି ଏସସି ଏସଟି ସ୍କୁଲକୁ ଅପଗ୍ରେଡ଼ କରାଯାଇଛି । ୨୮ ହଜାର ଶିକ୍ଷକ ନିଯୁକ୍ତି ଦେବାର ସରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।