କନକବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିଛି ବିଜେପି । କିନ୍ତୁ ଏହି ବିଜୟ ପଛରେ ଯେଉଁ ଗୁପ୍ତ ରଣନୀତି ରହିଥିଲା ତାହାର ଖୁଲାସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ବିଜେପି ସରକାର ଗଢିବାକୁ ୨୦୧୭ ପଞ୍ଚାୟତ ନିର୍ବାଚନରୁ ପ୍ରସ୍ତୁତିକୁ ଜୋରଦାର କରିଥିଲା । ୨୦୧୯ରେ ଦଳ ଦ୍ବିତୀୟ ସ୍ଥାନକୁ ଆସିଥିବା ବେଳେ ୨୦୨୪ରେ ମ୍ୟାଜିକ ନମ୍ବର ହାତେଇ ଏକାକୀ ସରକାର ଗଢିଥିଲା ।
ଏହାପଛର ସବୁଠୁ ବଡ କାରଣ ଥିଲା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ଭଷ୍ଟ୍ରାଚାର, କୁଶାସନ ଓ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା କାରଣରୁ ପୂର୍ବ ସରକାରକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଓ ଆକ୍ରୋଶ ବିଜେପିର ବିଜୟ ପାଇଁ ପଥ ସୁଗମ କରିଥିଲା । ଓଡ଼ିଶାରେ ସାମର୍ଥ୍ୟ ସହ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଂକେତ ଦେଇଥିଲା । ଓଡ଼ିଶାରେ କ୍ଷମତା ହଡପ ପାଇଁ ପଛ ଦ୍ବାରରୁ ଷଡଯନ୍ତ୍ର ହୋଇଥିବା ବେଳେ ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରିଥିଲା ଦଳ ।
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟର ସଂସ୍କୃତି ଓ ପରିଚୟକୁ ନେଇ ଲଢେଇ କରିଥିଲା ବିଜେପି । ଯାହାକୁ ଭରସା କରିଥିଲେ ରାଜ୍ୟବାସୀ ଏବଂ ଏହାର ଫାଇଦା ଦଳକୁ ମିଳିଥିଲା । ପୂର୍ବରୁ ଯାହା ପାଖରେ ଓଡ଼ିଶାର କ୍ଷମତାର ଡୋରି ଥିଲା । ସେମାନେ ରାଜ୍ୟବାସୀଙ୍କୁ ନ୍ୟାୟ ଦେଇ ନାହାନ୍ତି । ଯାହାର ଜବାବ ଚଳିତ ନିର୍ବାଚନରେ ଦେଇଛନ୍ତି ଓଡ଼ିଶାବାସୀ। ରିପ୍ଲବିକ ଭାରତ ପକ୍ଷରୁ ହରିୟାଣା ବାଜିଗର କାର୍ଯ୍ୟକ୍ରମରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।