ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ  ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ  : ଐତିହ୍ୟ ସ୍ଥଳ ଭୀମମଣ୍ଡଳୀର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଏଏସଆଇକୁ ଦାୟିତ୍ୱ ଦେବା ପାଇଁ ଅନୁରୋଧ କଲେ..

Advertisment

ଭୀମମଣ୍ଡଳୀ, ଦେବ୍ରିଗଡ଼ ଏବଂ ହୀରାକୁଦର ଐତିହ୍ୟ, ଇତିହାସ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଉପରେ ଦର୍ଶାଇଲେ...

ଭୀମମଣ୍ଡଳୀ, ଦେବ୍ରିଗଡ଼ ଏବଂ ହୀରାକୁଦର ଐତିହ୍ୟ, ଇତିହାସ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଉପରେ ଦର୍ଶାଇଲେ...

ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ Photograph: (kanakNews)

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଐତିହ୍ୟ ପର୍ଯ୍ୟଟନର କେନ୍ଦ୍ର ଭାବରେ ଭାରତର ସ୍ଥାନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ପତ୍ର ଲେଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ଐତିହ୍ୟ ସ୍ଥାନ ଭୀମମଣ୍ଡଳୀର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଦାୟିତ୍ୱ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଚିଠିରେ ଭୀମମଣ୍ଡଳୀ, ଦେବ୍ରିଗଡ଼ ଏବଂ ହୀରାକୁଦର ଐତିହ୍ୟ, ଇତିହାସ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଉପରେ ବର୍ଣ୍ଣନା କରିଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ହୀରାକୁଦ ଡ୍ୟାମ ଠାରୁ ମାତ୍ର ୧୦୦ କିମି ଦୂରରେ ଅବସ୍ଥାପିତ ଭୀମମଣ୍ଡଳୀ ସ୍ଥାନୀୟ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ । ଏହି ଭୀମମଣ୍ଡଳୀରେ ହଜାର ହଜାର ବର୍ଷ ପୂର୍ବର ପଥର ଚିତ୍ର ଓ ଶିଳାଲେଖ ରହିଛି । ଓଡ଼ିଶାର ପୁରାତନ ରକ୍ ଆର୍ଟ୍ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ବଡ ବଡ ପଥରରେ ହରିଣ, ହାତୀ, ବିଭିନ୍ନ ପଶୁଙ୍କ ପାଦଚିହ୍ନ ଓ ମହୁମାଛି ଆଦି ଚିତ୍ରାଙ୍କନ ରହିଛି । ଏହା ପ୍ରମାଣିତ କରୁଛି ଯେ, ଏହି ଅଞ୍ଚଳରେ ପୂର୍ବରୁ ଜନବସତି ଗଢି ଉଠିଥିଲା । ମହାଭାରତର ପାଣ୍ଡବଙ୍କ ସହ ଏହାର ସମ୍ପର୍କ ଥିବାରୁ ଭୀମଙ୍କ ନାମରେ ଏହି ସ୍ଥାନର ନାମକରଣ ହୋଇଥିବା ବିଶ୍ୱାସ ରହିଛି । ଐତିହାସିକ ଦୃଷ୍ଟିକୋଣ, ଅପରୂପ ସୌନ୍ଦର୍ଯ୍ୟ ଏବଂ ପୌରାଣିକ ସମ୍ପର୍କ ସହ ଜଡ଼ିତ ଅଞ୍ଚଳ ଭାବେ ଭୀମମଣ୍ଡଳୀ ଜଣାଶୁଣା, ଯାହା ଇତିହାସକାର, ପ୍ରକୃତି ପ୍ରେମୀ, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦୁଃସାହସିକ ପ୍ରବର୍ତ୍ତକମାନଙ୍କୁ ଆକର୍ଷିତ କରିଛି ।  

ତେବେ ଭୀମମଣ୍ଡଳୀର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଅଭାବରୁ ଏହି ପ୍ରାଚୀନ ରକ୍ ଆର୍ଟ୍ ସ୍ଥଳୀ ଅବକ୍ଷୟ ଅବସ୍ଥାରେ ରହିଛି । ଅଧିକାଂଶ ରକ୍ ଆର୍ଟ ଏବେ ଲିଭିଯାଇଛି । ଭୀମମଣ୍ଡଳୀ ରକ୍ ଆର୍ଟର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏଏସଆଇ ପକ୍ଷରୁ ଏହାକୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିବାକୁ ଐତିହାସିକ, ଐତିହ୍ୟ ସଂରକ୍ଷଣ ଓ ସ୍ଥାନୀୟ ସମ୍ପ୍ରଦାୟର ପକ୍ଷରୁ ଦାବି ହୋଇଛି । ଭୀମମଣ୍ଡଳୀର ଐତିହ୍ୟ ସ୍ଥଳର ଉପଯୁକ୍ତ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଏଏସଆଇର ବୃତ୍ତିଗତ ଦକ୍ଷତା ଏବଂ ଆବଶ୍ୟକ ସମ୍ବଳର ସହଯୋଗର ଆବଶ୍ୟକତା ରହିଛି । ଏହି ପ୍ରାଚୀନ ଐତିହାସିକ ସମ୍ପଦକୁ ସୁରକ୍ଷିତ ରଖାଗଲେ ଭବିଷ୍ୟତ ପିଢ଼ିଙ୍କ ହିତରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । 

ଅନୁରୂପ ଭାବେ ହୀରାକୁଦ ଡ୍ୟାମ୍ ଓ ସଂଲଗ୍ନ ଜଳଭଣ୍ଡାର ମଧ୍ୟରେ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ଏହି  ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ବସବାସ କରୁଥିବା ବେଳେ ସେଠାରେ ପୁରାତନ ଯୁଗର ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ କଳାକୃତି ରହିଛି । ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏହା ଗୁରୁତ୍ୱ ରଖୁଥିବା ବେଳେ ଏହି ଅଞ୍ଚଳରେ ମଧ୍ୟ ଜନବସତି ଥିବା ସୂଚାଉଛି । ପର୍ଯ୍ୟଟନର ଅପାର ସମ୍ଭାବନା ରଖୁଥିବା ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ୱଦେଶ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।  

ଏହାବ୍ୟତିତ ମହାନଦୀ ଉପରେ ନିର୍ମିତ ବିଶ୍ୱର ସର୍ବବୃହତ ଡ୍ୟାମ ହୀରାକୁଦର ନିର୍ମାଣ ଶୈଳୀ ଏହାର ପରିସରରେ ବିଶାଳ ଜଳଭଣ୍ଡାର ଓ ସବୁଜ ପାହାଡ଼ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ସ୍ଥାୟୀ ଏବଂ ପରିବେଶ ପର୍ଯ୍ୟଟନ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । 

ଉଲ୍ଲେଖନୀୟ ଯେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ମାସ ଫେବୃୟାରୀ ୨୫ରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଚମ୍ପାଳୀ ନଦୀ ନିକଟରେ ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କରିଥିଲେ । ଏଏସଆଇର ଅଧିକାରୀଙ୍କ ସହ ଏହି ଐତିହାସିକ ସ୍ଥାନର ଉତ୍ପତ୍ତି, ଐତିହ୍ୟ, ଇତିହାସ ଓ ମାନବ ସଭ୍ୟତାର ପ୍ରାମାଣିକ ତଥ୍ୟ ଉପରେ  ଆଲୋଚନା କରିଥିଲେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe