କନକ ବ୍ୟୁରୋ : ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବେ ପ୍ରଧାନ ମନ୍ତ୍ରୀ ମୋଦି ! ଆଜି ମହାପ୍ରଭୁଙ୍କ ଦର୍ଶନ ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଗ୍ୟରେ ଥିଲା ବୋଲି ମହାପ୍ରଭୁଙ୍କ ଦର୍ଶନ ମିଳିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରହିଛି । ଏହିଦିନ ସୁଭଦ୍ରା ଯୋଜନାକୁ ଶୁଭାରମ୍ଭ ହେବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାପରେ ପ୍ରଥମଥର ସାକ୍ଷାତ କରିବା ସମୟରେ ଏନେଇ ସ୍ଵୀକୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ମହାପ୍ରଭୁଙ୍କ ପ୍ରାଙ୍ଗଣରେ ମନେ ପକାଇ ଦେବାକୁ ଚାହୁଁଛି ଯେ ନିର୍ବାଚନ ସମୟରେ ମାତୃଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ନାଁରେ ୫୦ହଜାର ଟଙ୍କା ବିନା ସୁଧରେ ଅନୁଦାନ କରିବାକୁ କହିଥିଲୁ ଏବଂ ଓଡ଼ିଆ ଲୋକ ତାହାକୁ ଭରସା କରିଥିଲେ । ଏବେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସୁଭଦ୍ରା ଯୋଜନାର ଏସ.ଓ.ପି ଘୋଷଣା କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତଥା ୨୧ ରୁ ୬୦ ବର୍ଷର ମାଆମାନଙ୍କୁ ବର୍ଷକୁ ୧୦ ହଜାର ହିସାବରେ ୫ ବର୍ଷରେ ୫୦ ହଜାର ଲେଖାଏଁ ଅନୁଦାନ ଦେବାକୁ ଦାୟିତ୍ଵ ଓଡ଼ିଶା ସରକାର ନେଇଛନ୍ତି । ତାସହ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର ଅଛନ୍ତି ଦେଶରେ ୩ କୋଟି ଲକ୍ଷପତି ଦିଦି ବନେଇବା ପାଇଁ । ମହାରାଷ୍ଟ୍ରରେ ଏକ ଲକ୍ଷପତି ଦିଦି ସମ୍ମିଳନୀ ମଧ୍ୟ ଆୟୋଜନ ହୋଇଛି । ଓଡ଼ିଶାରେ ମାଆମାନଙ୍କର ସଶକ୍ତିକରଣ ବିଶେଷ କରି ଗାଆଁରେ ରହୁଥିବା ମାଆ ମାନଙ୍କର ସଶକ୍ତିକରଣ କରିବାର ପ୍ରତିଶ୍ରୁତି ଓ ଦାୟିତ୍ଵ ପାଳନ କରିବାର ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।