କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପ୍ରାୟ ୧୩୩ କୋଟି ୬୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଜି ଉଦ୍ଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାକୁ ବିକଶିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି କାମାକ୍ଷାନଗର ବାଇସିଙ୍ଗା ଠାରେ ଜାତୀୟ ରାଜପଥ – ୫୩ ନମ୍ବରର କାମାକ୍ଷାନଗର ବାଇପାସ୍ରୁ ଡୁବୁରୀ ସେକ୍ସନର ପ୍ରାୟ ୧୦ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଓଭର ବ୍ରିଜର ଲୋକାର୍ପଣ କରିଥିଲେ । ପରେ କାମାକ୍ଷାନଗର ମହିଳା କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ, କାମାକ୍ଷାନଗରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜନ୍ତାରିବୋଲଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହେବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଢେଙ୍କାନାଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପ୍ରାୟ ୯୩ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ସେ କହିଛନ୍ତି ,ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ । ଢେଙ୍କାନାଳ ଜିଲ୍ଲା ସହିଦ ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ ଓ ମୂଷା ମଲିକଙ୍କ ସଂଗ୍ରାମୀ ଭୂମି ଭାବରେ ଜଣାଶୁଣା । ଏହି ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଆବାସିକ ବିଦ୍ୟାଳୟ, ରାଜ୍ୟ ସରକାରଙ୍କ ସ୍କିଲ୍ ଡେଭଲପମେଣ୍ଟ ବିଭାଗର ଏକ ଶିକ୍ଷାନୁଷ୍ଠାନ ଥିବାବେଳେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । କାମାକ୍ଷାନଗରର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହ ସେମାନଙ୍କ ଆଦର୍ଶ ଓ ବିଚାରରେ ଆଗକୁ ବଢିବା ପାଇଁ ଅନୁପ୍ରାଣିତ କରିବ ।
କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଯିବ । ଓଡ଼ିଶା ସରକାର ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ ୨୦୨୫ -୨୬ ବର୍ଷ ପାଇଁ ୪୫,୦୦୦ରୁ ଅଧିକ ପ୍ରି- ପ୍ରାଇମେରୀ କ୍ଲାସକୁ ଶିଶୁ ବାଟିକାରେ ପରିବର୍ତ୍ତନ କରାଇଛନ୍ତି । କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁ ବାଟିକାରେ ମଧ୍ୟ ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବ । ପ୍ରାରମ୍ଭିକ ଶିକ୍ଷା ମାତୃଭାଷାରେ ହେଲେ ହିଁ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ହେବ । ମାତୃଭାଷାରେ ପିଲାମାନେ ପାଠ ପଢ଼ିଲେ ହିଁ ସହିଦ ବାଜି ରାଉତ, ସାରଙ୍ଗଧର ଦାସ, ପଠାଣି ସାମନ୍ତ ଏବଂ ଡ଼. ଏପିଜେ ଅବଦୁଲ କଲାମଙ୍କ ପରି ବ୍ୟକ୍ତିତ୍ୱମାନେ ତିଆରି ହେବେ । ଢେଙ୍କାନାଳରେ ଜାତୀୟ ରାଜପଥ, ଜଳପଥ, ରେଳପଥ ସମେତ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି । ଅମାପ ସମ୍ଭାବନାର ଜିଲ୍ଲା ଢେଙ୍କାନାଳରେ ଥିବା ଏୟାର ଷ୍ଟ୍ରିପକୁ ବିକଶିତ କରି ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ପାଇଲଟ୍ ଶିକ୍ଷା ଦେବା ପାଇଁ ଯୋଜନା କରାଯିବ ।
ଆମ ଡବଲ୍ ଇଞ୍ଜିନ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ପିଲାମାନଙ୍କର ବୈଜ୍ଞାନିକ ମନୋଭାବ ବୃଦ୍ଧି ହେବ । ସେହିପରି ରାଜ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ।