କନକ ବ୍ୟୁରୋ: ୫ ବର୍ଷ ପରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି । ଆଉ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜାତୀୟ ଶିକ୍ଷାନୀତି ବାହାନାରେ ତତ୍କାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
- ଏପ୍ରିଲରୁ ଜାତୀୟ ଶିକ୍ଷାନୀତି ଖଡିଛୁଆଁ
- ‘ପୂର୍ବ ସରକାରରେ ନାଚଗୀତରେ ଚାଲିଥିଲା ଶିକ୍ଷା’
ଏଭଳି କହି ପୂର୍ବ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନୂଆ ସରକାର ଆସିବା ପରେ ଲାଗୁ ହୋଇଛି ନୂଆ ଶିକ୍ଷାନୀତି । ଏହାକୁ ନେଇ ରାଜ୍ୟ ସରକାର ଉତ୍ସାହିତ ଅଛନ୍ତି । ଭୁବନେଶ୍ୱରର ଲୋକସେବା ଭବନରେ ଜାତୀୟ ଶିକ୍ଷା କର୍ମଶାଳାରେ ସାମିଲ ହୋଇ ପୂର୍ବ ସରକାରଙ୍କୁ ଧୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି,ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଜାତୀୟ ଶିକ୍ଷା ନୀତିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଅତୀତ ସରକାର କେବଳ ନାଚଗୀତରେ ଟଙ୍କା ଖର୍ଚ୍ଚ କରୁଥିଲେ ।
- ଫାଇଭ-ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ
- ନୂଆ ଶିକ୍ଷାନୀତିରେ ସଜାଡି ହେବ କି ବ୍ୟବସ୍ଥା?
ଜାତୀୟ ଶିକ୍ଷା କର୍ମଶାଳାରେ ସାମିଲ ହୋଇ ତତ୍କାଳୀନ ସରକାରର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କହିଥିଲେ, ପୁରୁଣା କାନ୍ଥରେ ରଙ୍ଗଦେଲେ ରୂପାନ୍ତରଣ ହୁଏ ନାହିଁ । ଅବ୍ୟବସ୍ଥା ମଧ୍ୟକୁ ଠେଲି ଦିଆଯାଇଥିଲା ଶିକ୍ଷାବ୍ୟବସ୍ଥା । ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇନଥିଲା । ଭଙ୍ଗା କୁଡିଆରେ , ବାରଣ୍ଡାରେ , ଗଛମୂଳରେ ଶିକ୍ଷା ଦିଆଯାଉଛି, ଯାହାକୁ ସ୍ୱୀକାର କରିବାକୁ ପଡିବ । ସେପଟେ ଧର୍ମେନ୍ଦ୍ର ଓ ମୋହନଙ୍କ ଆକ୍ଷେପକୁ କାଉଣ୍ଟର କରିଛି ବିଜେଡି ।
ତେବେ ଶିକ୍ଷା କର୍ମଶାଳାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ତତ୍କାଳୀନ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଏବେ ଦେଖିବାର କଥା, ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କେତେ ସୁଧୁରିବ ?