କନକ ବ୍ୟୁରୋ : ଆରାମରେ ଦିନ କାଟୁଥିବା ଆଇଏଏସ୍ ଅଧିକାରୀ ଜେଲ ଭିତରେ ସାଥୀ କଏଦୀଙ୍କ ସହ ରାତି କଟାଇଥିଲେ । ଏସି ରୁମ୍ରେ ବସି ଲକ୍ଷ ଲକ୍ଷ ଲାଞ୍ଚ ଟଙ୍କା ଗଣୁଥିବା ଚକମାଙ୍କୁ କମ୍ବଳ ପାରି ଚଟାଣରେ ଶୋଇବାକୁ ପଡ଼ିଥିଲା । ଡିନର୍ ବଦଳରେ ରସ ଥାଳିରେ ଖାଇଥିଲେ ଚୂଡ଼ା ଆଉ ଗୁଡ଼ । ତା’ପରେ ଆରମ୍ଭ ହୋଇଥିଲା ଅଭିଯୁକ୍ତ ଆଇଏଏସ୍ଙ୍କ ହାଇଡ୍ରାମା । ଜେଲ୍ ମେଡିକାଲ୍ ୱାର୍ଡକୁ ସିଫ୍ଟ ହେବା ପାଇଁ ବାବୁ ତିଆରି କରିଥିଲେ ମୁଣ୍ଡବିନ୍ଧାର ମିଛ ପ୍ଲଟ୍ । ମୁଣ୍ଡକୁ ଧରି ତଳେ ଗଡ଼ିଥିଲେ । ହେଲେ ଡାକ୍ତର ଆସି ଦେଖିଲା ବେଳକୁ ସବୁକିଛି ଠିକ୍ ଥିଲା । ତେଣୁ ଜେଲ୍ ହସ୍ପିଟାଲ୍ ୱାର୍ଡ ନୁହେଁ ବରଂ ତାଙ୍କୁ ପୁଣିଥରେ ଜେଲ୍ ଭିତରେ ଅନ୍ୟ କଏଦୀଙ୍କ ସହ ରହିବାକୁ ପଡ଼ିଥିଲା । ସକାଳୁ ଉଠି ଚୁପଚାପ୍ ଅନ୍ୟ କଏଦୀଙ୍କ ଭଳି ଖାଇଥିଲେ ଚୂଡ଼ା ଉପମା ଓ ଡାଲମା ।
ଜେଲ୍ର ମେଡିକାଲ୍ ୱାର୍ଡକୁ ଯିବାକୁ ମିଛ ଯୋଜନା କରିଥିଲେ ଅଭିଯୁକ୍ତ ଆଇଏଏସ୍ । ଦେହ ଖରାପ କହି ରାତିସାରା ଜେଲ୍କୁ ପକାଉଠା କରିଥିଲେ। ଡାକ୍ତର ଦେଖିବା ପରେ ବାବୁଙ୍କୁ ପୁଣି ଫେରିବାକୁ ପଡ଼ିଛି ଜେନେରାଲ୍ ଜେଲ୍ ୱାର୍ଡକୁ । ସେପଟେ ସାମ୍ନାକୁ ଆସିଛି ଲାଞ୍ଚ କାରବାର ପଛର ଆଉ ଏକ ରୋଚକ କାହାଣୀ । କାହିଁକି ଲାଞ୍ଚ ମାଗିଥିଲେ ଧର୍ମଗଡ଼ ଉପଜିଲ୍ଲାପାଳ ? ଦେଢ଼ କୋଟି ଜରିମାନା ଫାଙ୍କିବାକୁ ବୁଝାମଣା ! ଅଧା ମାନି, ଅଧା ଢୋକିଲେ ଅଭିଯୋଗକାରୀ ।ଜୟପାଟଣା ପାଖ ଆମଚୋରରେ ଅଭିଯୋଗକାରୀ ହର୍ଷ ବେହେରାଙ୍କର ରହିଛି କ୍ରସର ୟୁନିଟ୍ । ଆବଶ୍ୟକତାଠାରୁ ଅଧିକ ଖଣି ଖନନ ଓ କ୍ଷମତା ବାହାରେ ପ୍ରୋସେସିଂ ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ପରେ ଦେଢ଼ କୋଟି ଟଙ୍କାର ଜରିମାନା କସିଥିଲା ପ୍ରଶାସନ । ଏହା ଜାଣିବା ପରେ ଉପଜିଲ୍ଲାପାଳ ଧୀମାନ ଚକମା ତାଙ୍କୁ ଡାକିଥିଲେ ଓ ଉଭୟଙ୍କ ଭିତରେ ୨୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା କୁହାଯାଉଛି । ତେବେ ଏନେଇ କିଛି ଜାଣିନଥିବା କହିଛନ୍ତି ଖଣି ଉପ ନିର୍ଦ୍ଦେଶକ । ଉପଜିଲ୍ଲାପାଳ ଗିରଫ ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା । ହେଲେ ବ୍ୟବସାୟୀଙ୍କୁ ପ୍ରଶାସନ କସିଥିବା ଜରିମାନା ଆଦାୟ ହେବ ତ ?