କନକ ବ୍ୟୁରୋ: ଗିରଫ ପରେ ଲାଞ୍ଚୁଆ ଆଇଏସଏସ ଅଫିସରଙ୍କୁ ଜେଲ୍‌ ପଠାଇଲା ଭିଜିଲାନ୍ସ । ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା । ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି । ଲୋକଙ୍କୁ ନ୍ୟାୟ ଦେବାପାଇଁ ପ୍ରାଶାସନିକ ଅଧିକାରୀ ଭାବେ କଳାହାଣ୍ଡିରେ ନିଯୁକ୍ତି ପାଇଥିବା ଚକମାଙ୍କ ଆସ୍ଥାନ ବର୍ତ୍ତମାନ୍ ଉପଜିଲ୍ଲାପାଳ ଅଫିସ୍‌ରେ ନୁହେଁ ଭବାନୀପାଟଣା ଜିଲ୍ଲା କାରାଗାରରେ । ଗତକାଲି ସନ୍ଧ୍ୟାରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାପରେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ବେଳେ ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । ଗତକାଲି ପୁଣି ଭିଜିଲାନ୍ସର ଏକ ଟିମ୍ ଧର୍ମଗଡ଼ ଯାଇ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଛାନ୍‌ଭିନ୍ କରିଥିଲେ । ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ କରିଥିବା ଜଣା ପଡ଼ିଛି । ଏହାଛଡ଼ା କର୍ମଚାରୀମାନଙ୍କ ସହ ବି ଆଲୋଚନା କରିଛନ୍ତି । ୨୦୨୧ ବ୍ୟାଚ୍‌ର ଆଇଏଏସ୍ ଧୀମାନ୍ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା । ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ । ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ସେ ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।