କନକ ବ୍ୟୁରୋ : ଆଗକୁ ଆସୁଛି ଧନତେରସ୍ । ସନାତନ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ହିନ୍ଦୁ ଧର୍ମର ଲୋକ ମା’ ଲକ୍ଷ୍ମୀ, ଧନର ଦେବତା କୁବେର ଏବଂ ଆୟୁର୍ବେଦର ପିତା ପ୍ରଭୁ ଧନ୍ବନ୍ତରୀଙ୍କୁ ପୂଜା କରନ୍ତି । ଧନତେରସରେ ପ୍ରଭୁ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିବାରୁ ଉକ୍ତ ଦିନକୁ ଧନ୍ବନ୍ତରୀ ତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୁନା, ରୁପା , ଅଳଙ୍କାର , ବାସନ ଏବଂ ଝାଡୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ତେବେ ଚଳିତବର୍ଷ ୨୦୨୫ ଅକ୍ଟୋବର ୧୮ ତାରିଖ ଶନିବାର ଦିନ ଧନତେରସ ପର୍ବ ପାଳନ କରାଯିବ । ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଜୀବନରେ ମା’ ଲକ୍ଷ୍ମୀଙ୍କ ଅପାର କରୁଣା ଏବଂ ଆଶୀର୍ବାଦ ରହୁ । ସେଥିପାଇଁ ଏହିଦିନ ମା’ ଧନଲକ୍ଷ୍ମୀଙ୍କ ସ୍ବତନ୍ତ୍ର ପୂଜା ହୋଇଥାଏ । ଯାହାର ଆରମ୍ଭ ଧନତେରସରୁ ହିଁ ହୋଇଯାଏ । କେବଳ ମା’ ଲକ୍ଷ୍ମୀ ନୁହେଁ ଧନର ଦେବତା ପ୍ରଭୁ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ଅନେକ ଲୋକ ଅନେକ ଉପାୟ ଆପଣାଇଥା’ନ୍ତି । ଏହି ଦିନ ସୁନା, ରୁପା ବ୍ୟତିତ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଖାଲି ଝାଡୁ କାହିଁକି ଲୁଣ ଏବଂ ଧନିଆ କିଣିବା ମଧ୍ୟ ଧନତେରସରେ ଶୁଭ ବୋଲି କୁହାଯାଇଛି । ଏହା ଘରେ ସୁଖ , ସମୃଦ୍ଧି ଆଣିବା ସହ ଧନର ପଥ ପ୍ରଶସ୍ତ କରିଥାଏ ବୋଲି ବିଶ୍ବାସ ରହିଛି ।
ଯଦି ପବିତ୍ର ଧନତେରସ୍ ଅବସରରେ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ପ୍ରଶ୍ନ ଆସେ ତା’ହେଲେ ଏହି ଦିନ ଲୁହା କିମ୍ବା କୌଣସି ଧାରୁଆ ଜିନିଷ କିଣିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ବାରା ଘରେ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏତଦବ୍ୟତିତ , ଏହି ଦିନରେ ଘରକୁ କଳା ଜିନିଷ ଏବଂ କାଚ ଜିନିଷ ଆଣିବା ଉଚିତ ନୁହେଁ । ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ପାନ ପତ୍ରରେ ଦେବୀ-ଦେବତାମାନେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ ତେଣୁ ଧନତେରସ ଏବଂ ଦୀପାବଳି ପୂଜାରେ ପାନର ବ୍ୟବହାର ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ତ୍ରିନାଥ ମେଳାରେ ଯେମିତି ପାନ ଏବଂ ସୁପାରିର ବ୍ୟବହାର ହୋଇଥାଏ ଠିକ୍ ସେମିତି ଧନତେରସରେ ମଧ୍ୟ ପାନ ଏବଂ ସୁପାରି ବିନା ପୂଜା ଆରମ୍ଭ ହୁଏନାହିଁ । ସୁପାରିକୁ ବ୍ରହ୍ମଦେବ, ଯମଦେବ, ବରୁଣ ଦେବ ଏବଂ ଇନ୍ଦ୍ରଦେବଙ୍କ ପ୍ରତୀକ ବୋଲି କୁହାଯାଏ । ଧନତେରସ ଦିନ ପୂଜାରେ ବ୍ୟବହୃତ ସୁପାରିକୁ ଟଙ୍କା ରଖୁଥିବା ଜାଗାରେ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଧନତେରସ ପୂଜା ପୂର୍ବରୁ ମା’ଙ୍କ ସାମ୍ନାରେ ଦୀପ ଜାଳିବାକୁ ଭୁଲନ୍ତୁ ନାହିଁ । ଏହାଦ୍ୱାରା ଯମଦେବ ପ୍ରସନ୍ନ ହୁଅନ୍ତି । ମାଆ ଲକ୍ଷ୍ମୀ, କୁବେର ଏବଂ ଭଗବାନ ଧନୱନ୍ତରୀଙ୍କ ପୂଜାରେ କର୍ପୂର ନିଶ୍ଚୟ ଜାଳନ୍ତୁ । କର୍ପୂର ଜାଳିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ବାହାରିଯାଏ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରେ ।