କନକ ବ୍ୟୁରୋ : ରାତି ପାହିଲେ ଢେଙ୍କାନାଳରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ୧୧ ଦିନ ବ୍ୟାପୀ ହେବାକୁ ଥିବା ଏହି ପୂଜା ପାଇଁ ଚଳଚଞ୍ଚଳ ଢ଼େଙ୍କାନାଳ । ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଚଳିତ ବର୍ଷ ପୋଲିସ ପ୍ରଶାସନ ଏବଂ ମିଳିତ ପୂଜା କମିଟି ମଧ୍ୟରେ ସମନ୍ୱୟର ଅଭାବ ପୂଜା ସମୟରେ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୧୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଢ଼େଙ୍କାନାଳ ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ୨୭ ତାରିଖ ପର୍ଯ୍ୟନ୍ତ ସହରର ୩୮ଟି ମଣ୍ଡପରେ ପୂଜା ପାଇବେ ମହାମାୟୀ । ମାଆଙ୍କ ମୂର୍ତ୍ତି, ତୋରଣ, ଆଲୋକ ସାଜସଜ୍ଜା କାର୍ୟ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାରିଗରମାନେ ଦିନ ରାତି ଏକ କରି କାମରେ ଲାଗିଛନ୍ତି । ପୂଜା ସରସ ସୁନ୍ଦର କରିବା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏ ବର୍ଷ ପୂଜାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଲୋକଙ୍କ ଆଗ୍ରହକୁ ନିଜରରେ ରଖି ମଣ୍ଡପ ନିକଟରେ ହସ୍ତ ଶିଳ୍ପ ଓ ଗୃହ ଉପଯୋଗୀ ସାମଗ୍ରୀ ଦୋକାନ ଖୋଲାଯାଇଛି । ପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ କିଛି ପୂଜା କମିଟି ପ୍ରତି ପୋଲିସ ଏଵଂ ପୌର ସଂସ୍ଥାର କଠୋର ମନୋଭାବ ଏଥର ଲକ୍ଷ୍ମୀପୂଜାରେ ବିଭ୍ରାଟ ଆଣିପାରେ ବୋଲି ଆଶଙ୍କା କରାଯାଉଛି ।
ଢ଼େଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଉଭୟ ହିନ୍ଦୁ-ମୁସଲମାନ ମିଳିମିଶି ପାଳନ କରିଥାନ୍ତି । କିନ୍ତୁ ଦୀର୍ଘ ବର୍ଷର ପ୍ରଚେଷ୍ଟା ସତ୍ତ୍ୱେ ଏହାକୁ ଜାତୀୟ ମାନ୍ୟତା ପ୍ରଦାନ କରାଯାଉନାହିଁ । ଯାହାକୁ ନେଇ ଢ଼ୋଙ୍କାନାଳବାସୀଙ୍କ ମଧ୍ୟରେ କ୍ଷୋଭ ରହିଛି ।