କନକ ବ୍ୟୁରୋ: ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ତୃପ୍ତି ଡିମ୍ରିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଧଡକ ୨' ଅଗଷ୍ଟ ୧ରେ ରିଲିଜ୍‌ ହେବାକୁ ଯାଉଛି । ୨୦୧୮ରେ ମୁକ୍ତି ଲାଭ କରିଥିବା ବଲିଉଡ୍‌  ଫିଲ୍ମ 'ଧଡକ'ର ଏହା ଏକ ସିକ୍ୱେଲ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ଏହି ଫିଲ୍ମର ପ୍ରଯୋଜନା କରାଯାଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିବା ବେଳେ ପ୍ରିମିୟର ସୋ ଦେଖି ରିଭ୍ୟୁ ଦେବା ଆରମ୍ଭ କରିଛନ୍ତି ଫିଲ୍ମ ଫିଲ୍ମ ସମୀକ୍ଷକ ।
କାହାଣୀ ଓ କଳାକାର

Advertisment

'ଧଡକ ୨' ତାମିଲ ଫିଲ୍ମ 'ପରିୟେରୁମ ପେରୁମଲ' (୨୦୧୮)ର ହିନ୍ଦୀ ରିମେକ୍ ଚଳଚ୍ଚିତ୍ର ।  ଫିଲ୍ମର କାହାଣୀ ନିଲେଶ (ସିଦ୍ଧାନ୍ତ ଚତୁର୍ବେଦୀ) ଏବଂ ବିଧି (ତୃପ୍ତି ଡିମରି) ଚରିତ୍ର ଉପରେ ଆଧାରିତ, ଯେଉଁମାନେ ଭିନ୍ନ ଜାତିର ହୋଇ ମଧ୍ୟ ପରସ୍ପରକୁ ଭଲ ପାଇ ବସୁଛନ୍ତି ।  ସମାଜରେ ଥିବା ଜାତିଗତ ଭେଦଭାବ ଏବଂ ଏଥିପାଇଁ ସେମାନଙ୍କ ପ୍ରେମ ସମ୍ପର୍କରେ ଆସୁଥିବା ବାଧାବିଘ୍ନକୁ ଫିଲ୍ମରେ ଦର୍ଶାଯାଇଛି । ଏହାର ନିର୍ଦ୍ଦେଶନା ଶାଜିୟା ଇକବାଲ ଦେଇଛନ୍ତି । 

ଫିଲ୍ମକୁ ନେଇ ସମାଲୋଚକମାନେ ନିଜର ମତ ରଖିଛନ୍ତି:
ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ 'ଧଡକ ୨'କୁ ସାଢେ ତିନି ଷ୍ଟାର ଦେଇ ଏହାକୁ ଏକ "ହାର୍ଡ ହିଟିଂ" ଫିଲ୍ମ ବୋଲି କହିଛନ୍ତି । ତାଙ୍କ ମତରେ, ଫିଲ୍ମର କାହାଣୀ ବଳିଷ୍ଠ ଏବଂ ଦ୍ୱିତୀୟାର୍ଦ୍ଧ ଭାବବିହ୍ୱଳ କରିଦେବା ଭଳି ହୋଇଛି । ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୟକୁ ସେ "ଇଣ୍ଟେନ୍ସ ଓ ଇମୋସନାଲି ପାୱାରଫୁଲ୍" ବୋଲି ପ୍ରଶଂସା କରିଛନ୍ତି। ତୃପ୍ତି ଡିମ୍ରିଙ୍କ ଅଭିନୟ ମଧ୍ୟ ପ୍ରଭାବଶାଳୀ ରହିଛି । ତେବେ, ପ୍ରଥମ ଭାଗ ଭଳି ଏଥିରେ ମନଛୁଆଁ ସଙ୍ଗୀତର ଅଭାବ ରହିଥିବା ସେ କହିଛନ୍ତି ।

ଫିଲ୍ମ ସମୀକ୍ଷକ ଉମେର ସାନ୍ଧୁ ମଧ୍ୟ ଫିଲ୍ମର ସମୀକ୍ଷା କରି ଏହାକୁ "ପାୱାର ପ୍ୟାକ୍‌ଡ୍‌" ବୋଲି କହିଛନ୍ତି । ସେ ତୃପ୍ତି ଡିମ୍ରିଙ୍କ ଅଭିନୟ ଏବଂ ଫିଲ୍ମର କ୍ଲାଇମାକ୍ସକୁ ଏହାର ମୁଖ୍ୟ ଆକର୍ଷଣ ବୋଲି କହିଛନ୍ତି । 

ବକ୍ସ ଅଫିସରେ ଟକ୍କର
'ଧଡକ ୨'କୁ ବକ୍ସ ଅଫିସରେ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡିବ । ଏହି ଫିଲ୍ମଟି ଅଜୟ ଦେବଗନ ଏବଂ ମୃଣାଳ ଠାକୁରଙ୍କ 'ସନ୍ ଅଫ୍ ସରଦାର ୨' ସହିତ ମୁକ୍ତିଲାଭ କରୁଛି । ଏହା ବ୍ୟତୀତ, ନିକଟରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ ଡ୍ରାମା ଫିଲ୍ମ 'ସୈୟାରା' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ପୌରାଣିକ ଆନିମେଟେଡ୍ ଫିଲ୍ମ 'ମହାବତାର ନରସିହ୍ମା' ମଧ୍ୟ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ଏଭଳି ସ୍ଥିତିରେ 'ଧଡକ ୨' ଦର୍ଶକଙ୍କ ହୃଦୟ ଜିତିବାରେ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା ।