କନକ ବ୍ୟୁରୋ: ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ କରାଯିବ । ଏହି ସମ୍ପ୍ରସାରଣ ନିମନ୍ତେ ସାକ୍ଷୀଗୋପାଳର ଗୋପାଳଜୀଉଙ୍କର ମୂଲ୍ୟବାନ ଭୂସମ୍ପତ୍ତିକୁ ବେଞ୍ଚମାର୍କ ଭାଲ୍ୟୁଏସନ୍‌ରେ ବିଶ୍ଵବିଦ୍ୟାଳୟକୁ ବିକ୍ରି ଉଦ୍ୟମ ନେଇ ସାଧାରଣରେ ଅସନ୍ତୋଷ । ଦେବୋତ୍ତର ଆଇନର ୧୯ ଧାରା ବଳରେ ଉକ୍ତ ଜମି ବିକିବାକୁ ଆଦେଶ କରାଯାଇଥିବାରୁ ଠାକୁର ଅଧିକ କ୍ଷତି ସହିବେ । ସାକ୍ଷୀଗୋପାଳ ମନ୍ଦିରଠାରୁ ୫ ଶହ ମିଟର ଦୂରରେ ରହିଥିବା ୬.୪୭ ଏକର ଜମି ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରାଚୀର ଓ ମନ୍ଦିର ବାଇପାସ୍ ରାସ୍ତାକୁ ଲାଗି ରହିଛି । 

Advertisment

ପୁରୀ ଜିଲ୍ଲାର ସତ୍ୟବାଦୀ ତହସିଲ୍ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ମୌଜାର ଖାତା ନଂ-୩୭୩, ପ୍ଲଟ୍‌ନଂ- ୫୦୦୯, ୪୯୭୨, ୪୯୭୩, ୪୯୭୪, ୪୯୭୫ ପାଞ୍ଚଟି ପ୍ଲଟ୍‌ମୋଟ ରକବା ୬.୪୭ ଏକର ମଧ୍ୟରୁ ଅର୍ଦ୍ଧାଧିକ ଜମିର କିସମ ବଗାୟତ ରହିଥିବା ଜଣାପଡ଼ିଛି । ଏକର ପିଛା ୩୩ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ସ୍ଥିରୀକୃତ ଜମିର ବଜାର ଦର ୧୫ କୋଟିରୁ ଅଧିକ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ନାବାଳକ ସଦୃଶ ଠାକୁରଙ୍କ ସ୍ଥିତିବାନ ସମ୍ପତ୍ତିକୁ ସର୍ବସାଧାରଣଙ୍କ ଅଗୋଚରରେ ଚାଲିଥିବା ବିକ୍ରି ପ୍ରକ୍ରିୟା ବନ୍ଦ କରିବା ସହ ଉଚିତ ଦରରେ ଠାକୁରଙ୍କ ସମ୍ପତ୍ତି ହସ୍ତାନ୍ତର କରିବାକୁ ପବ୍ଲିକ୍‌ ପିଟିସନ ଜରିଆରେ ରାଜ୍ୟ ଦେବୋତ୍ତର କମିସନ୍‌ଙ୍କୁ ନିବେଦନ କରାଯାଇଛି । 

ପ୍ରକାଶ ଥାଉ କି, ଓଡ଼ିଆ ବିଶ୍ଵବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୯ ମସିହାରେ ୯.୬୦ ଏକର ସାକ୍ଷୀଗୋପାଳ ଠାକୁରଙ୍କ ଜମିକୁ ୧୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଇଥିଲା । ଏବେ ପୁନଶ୍ଚ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ କେଉଁ ଆଧାରରେ ଏକର ପିଛା ୫ ଲକ୍ଷ ଦରରେ ବିକ୍ରୟ କରାଯିବ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଠାକୁରଙ୍କ ସ୍ୱାର୍ଥକୁ ଅଣଦେଖା କରି କରାଯାଇଥିବା ଏଭଳି ଆଦେଶର ପୁନର୍ବିଚାର କରିବା ସହିତ ବେଞ୍ଚ ମାର୍କ ଭାଲ୍ୟୁଏସନ୍‌ ବଦଳରେ ଚାଲିଥିବା ବଜାର ଦର ଅନୁସାରେ ଠାକୁରଙ୍କ ଭୂସମ୍ପତ୍ତି କ୍ରୟ ବିକ୍ରୟ କରିବା ନିମନ୍ତେ ସାଧାରଣରେ ମତପ୍ରକାଶ ପାଇଛି । ୨୦୧୯ ମସିହାରେ ଠାକୁରଙ୍କର ଭୂସମ୍ପତି ବେଞ୍ଚ ମାର୍କ ଭାଲ୍ୟୁଏସନ୍‌ ପରିବର୍ତ୍ତେ ବଜାର ଦର ଅନୁସାରେ ବିକ୍ରୟ ହୋଇଥିଲା । ସେବାୟତ ନରହରି ମହାପାତ୍ର ଠାକୁରଙ୍କ ସମ୍ପତ୍ତିକୁ ବଜାର ଦର ଅନୁସାରେ ବିକ୍ରି ପାଇଁ ଆଦେଶ ନିମନ୍ତେ ଉଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରିଛନ୍ତି । ୨୦୨୫ରେ ମଧ୍ୟ ବଜାର ଦର ଅନୁସାରେ ଠାକୁରଙ୍କର ଭୂସମ୍ପତ୍ତି ବିକ୍ରୟ କରାଯିବା ଆବଶ୍ୟକ ।