କନକ ବ୍ୟୁରୋ : ମହାଶିବରାତ୍ରିରେ ସବୁଆଡେ ଭକ୍ତିମୟ ପରିବେଶ। ଓଁ ନମଃ ଶିବାୟ ମନ୍ତ୍ରରେ ପ୍ରକମ୍ପିତ ହେଉଛି ସହରଠୁ ପୁରପଲ୍ଲୀର ସମସ୍ତ ଶୈବପୀଠ। ମନ୍ଦିରରେ ବାବାଙ୍କର ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି। ସବୁଠି ହର ହର ମହାଦେବ ନାରା। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ୟ୍ୟ ହୋଇଛି।
ମନରେ ଭକ୍ତି ଭାବ। ଅନ୍ତରାତ୍ମାରେ ସମର୍ପଣର ସଂକଳ୍ପ ଓ ତୁଣ୍ଡରେ ମହାଦେବଙ୍କ ନାମ। ହାତଯୋଡ଼ି ନୀଳକଣ୍ଠଙ୍କ ଆଶିର୍ବାଦ ଲୋଡୁଛି ଭକ୍ତ। ଭୋରରୁ ଶୁଦ୍ଧପୁତ ହୋଇ ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ପୁରପଲ୍ଲୀ ହେଉ କି ସହରର ଶୈବ ପୀଠ, ସବୁଠୁ ଲାଗିଛି ଗହଳଚହଳ। ମହାଶିବରାତ୍ରିକୁ ନେଇ ସବୁ ମନ୍ଦିର ଉତ୍ସବ ମୁଖର। ହଜାର ହଜାର ଭକ୍ତ ଧାଡ଼ିରେ ଆସି ଠାକୁରଙ୍କ ଦର୍ଶନ କରୁଛନ୍ତି। ଝୁଣା, ଗୁଗୁଳ, ଧୁପକାଠି ବାସ୍ନାରେ ଚହଟି ଯାଉଛି ପୀଠ ପରିସର। ଓଁ ନମଃ ଶିବାୟ, ଜୟ ଶିବ ଶଙ୍କର ଧ୍ବନିରେ ମୁଖରିତ ହେଉଛି ଅଞ୍ଚଳ। ପରିବେଶ ଏମିତି ହୋଇଛି ଯେ ଶୈବପୀଠ ପରିସରରେ ପାଦ ଦେଲେ ହୃଦୟ, ମନ ମସ୍ତିସ୍କକୁ ସଂଚରି ଯାଉଛି ଭକ୍ତି ଭାବ।
ଅଧିକ ପଢ଼ନ୍ତୁ : ମହାଦେବଙ୍କ ଏପରି ଏକ ଅଲୌକିକ ମନ୍ଦିର ଯାହା ବର୍ଷରେ ଥରେ ମାତ୍ର ମହାଶିବରାତ୍ରି ଦିନ ଭକ୍ତଙ୍କ ପାଇଁ ଖୋଲିଥାଏ ।
ଢେଙ୍କାନାଳର କପିଳାସ ମନ୍ଦିର ହେଉ କି ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର, ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼। ଏପଟେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଲୋକନାଥ ମନ୍ଦିର ସବୁଠି ଭୋଳାଶଙ୍କରଙ୍କୁ ସ୍ୱତନ୍ତ୍ର ନୀତିକାନ୍ତିରେ ଚାଲିଛି ପୂଜାର୍ଚ୍ଚନା। ଶ୍ରଦ୍ଧାଳୁଙ୍କ ଗହଳିକୁ ଆଖିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଛି। ଧାର୍ୟ୍ୟ ସମୟ,ନୀତି ନିର୍ଘଣ୍ଟ ଅନୁସାରେ ମହାଦୀପ ଉଠିବା ନେଇ ସନ୍ଧ୍ୟା ପରଠୁ ଆରମ୍ଭ ହୋଇଛି ପ୍ରସ୍ତୁତି। ମନ୍ଦିର ପରିସରରେ ଶିବ ଆରାଧନାରେ ମଗ୍ନ ଶ୍ରଦ୍ଧାଳୁ ସଞ୍ଜ ନଇଁବା ପରଠୁ ଦୀପ ଜାଳି ଜାଗର ପାଳିବା ସହ ମହାଦୀପ ଉଠିବାକୁ ଅପେକ୍ଷା କରିଛନ୍ତି ।
ପବିତ୍ର ଜାଗରକୁ ନେଇ ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ। ମହାଶିବରାତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ। ମହାଦେବଙ୍କ ଉପାସନାର ସର୍ବୋତ୍କୃଷ୍ଟ ଦିନ ମହା ଶିବରାତ୍ରି । ସେ ସାଧୁ ସନ୍ୟାସୀ ହୁଅନ୍ତୁ କି ସାଧାରଣ ବ୍ୟକ୍ତି, ଭକ୍ତି ଭାବରେ ଭୋଳା ଶଙ୍କରଙ୍କୁ ଡାକିଲେ ସବୁ ଦୁଃଖ କଷ୍ଟ ଦୁର ହୋଇଯାଏ ବୋଲି ରହିଛି ଧର୍ମୀୟ ବିଶ୍ୱାସ ।
Follow Us