କନକ ବ୍ୟୁରୋ : ଭକ୍ତ ଦାସ ପିସିସି ସଭାପତି ହେବା ପରେ ସାରା ରାଜ୍ୟରେ ସକ୍ରିୟ ହେଉଛି କଂଗ୍ରେସ । ନାରୀ ନିର୍ଯାତନା ନେଇ ଲୋୟର ପିଏମଜିରେ କଂଗ୍ରେସର ଶକ୍ତିପ୍ରଦର୍ଶନ ହେଉ କି ବିଧାନସଭାରେ  କଂଗ୍ରେସ ବିଧାୟକ ସସପେଣ୍ଡ ବେଳେ ଦଳର ଏକତା ସବୁଥିଲେ ସକ୍ରିୟ ହୋଇଛି କଂଗ୍ରେସ । ତୃଣମୂଳ ସ୍ତରରୁ କଂଗ୍ରେସକୁ ଏକାଠି ରଖି ଆଗକୁ ବଢ଼ିବାକୁ ସଜବାଜ ହେଉଛନ୍ତି ଭକ୍ତ । ଆଉ ଦୁଇପାଦ ଆଗକୁ ବଢ଼ି ବିଧାନସଭା ମୌସୁମୀ ଅଧିବେଶନରେ  ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅଣ୍ଟା ଭିଡ଼ିଲାଣି ଦଳ । ଏଥିପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସମର୍ଥନ ପାଇଁ ବିଜେଡି କୋର୍ଟକୁ ପୁଣିଥରେ ବଲ ଫିଙ୍ଗିଛନ୍ତି ପିସିସି ସଭାପତି । କୁହାଯାଉଛି ଏକ ସୁଚିନ୍ତିତ ରଣନୀତି ଆଧାରରେ ଅନାସ୍ଥା କାର୍ଡ ଖେଳୁଛନ୍ତି ଭକ୍ତ ଦାସ ।

ଭୁବନେଶ୍ବରରେ କଂଗ୍ରେସ ନେତାଙ୍କ ମେଳି

Advertisment

କୋମାରେ ପଡ଼ିଥିବା କଂଗ୍ରେସକୁ ସଜାଡ଼ିବାକୁ ଭକ୍ତ ଦାସଙ୍କ ଉଦ୍ୟମକୁ ଏପଟେ ଶକ୍ତ ଧକ୍କା ଲାଗିଛି । ଭୁବନେଶ୍ବର ସହିଦ ନଗରରେ ଦୁର୍ଗାପୂଜା ପଡ଼ିଆରେ ବନ୍ଧୁ ମିଳନ ନାଁରେ ମେଳି କରିଛନ୍ତି କିଛି କଂଗ୍ରେସ ନେତା । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ମନୋଜ ଜେନା, ଯୁବ ଓ ଛାତ୍ର କଂଗ୍ରେସର କର୍ମୀ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଲୋଚନା କ’ଣ ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ବି ଭକ୍ତ ଦାସଙ୍କ ଭଳି ସାମନ୍ତରାଳ ସଙ୍ଗଠନ ଗଢ଼ିବା ନେଇ ଚର୍ଚ୍ଚା ହୋଇଛି । ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି ଦଳର ନେତା ଜଣେ, ସେ ହେଉଛନ୍ତି ରାହୁଲ ଗାନ୍ଧୀ । ସଂଗଠନ ସଜାଡ଼ିବାକୁ ଏଭଳି ବୈଠକ ହୁଏ । ଏପଟେ ତାରା କହିଛନ୍ତି, ଦଳୀୟ ଫୋରମରୁ ବାହାରକୁ ଯାଇ ବୈଠକ ହୋଇଥିଲେ ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ । ସଭାପତି ହେବା ପରେ ଏଯାଏଁ ଜିଲ୍ଲାସ୍ତରରେ ସଙ୍ଗଠନ ଘୋଷଣା କରିପାରିନାହାନ୍ତି ଭକ୍ତ ଦାସ । ଏଭଳି ସ୍ଥଳେ ସମାନ୍ତରାଳ ମେଳି କରିଥିବା କଂଗ୍ରେସ ନେତାଙ୍କୁ ଭକ୍ତ କେମିତି ବୁଝାଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।