କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ହେଲେ ବିବାଦ ପିଛା ଛାଡୁନି । ଏହାରି ଭିତରେ ଦର୍ଶନରେ ଶୃଙ୍ଖଳା ଆଣିବା ପାଇଁ ସରକାରଙ୍କ ଏହି ବ୍ୟବସ୍ଥାକୁ ପରିଚାଳନା କମିଟି ମୋହର ମାରିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଲାଗୁ ହେଲେ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି ।

Advertisment

ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେବାକୁ ଥିବା ବ୍ୟବସ୍ଥା ଦର୍ଶନରେ ବିଭ୍ରାଟ ସୃଷ୍ଟି କରିପାରେ । ପୂର୍ବରୁ ହୋଇଥିବା ଧାଡ଼ି ଦର୍ଶନ ଡେମୋର ତଥ୍ୟ କହୁଛି ଥରକେ ସର୍ବାଧିକ ୨ଶହ ଲୋକ ଦର୍ଶନ କରିପାରିବେ । ରିପୋର୍ଟ କହୁଛି ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ୭୦ ହଜାର ଭକ୍ତ ଆସୁଛନ୍ତି । ସପ୍ତାହାନ୍ତରେ ଏହି ସଂଖ୍ୟା ଲକ୍ଷେ ଛୁଉଁଛି । କାର୍ତ୍ତିକ ପୂର୍ଣ୍ଣିମା, ପଞ୍ଚୁକ, ନୂଆବର୍ଷ ଭଳି ସ୍ୱତନ୍ତ୍ର ଦିନରେ ଭକ୍ତ ସଂଖ୍ୟା ୩ ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯାଏ । ତେଣୁ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ସମସ୍ତଙ୍କ ଦର୍ଶନ କରାଇବା ଏକ ପ୍ରକାର ଅସମ୍ଭବ । ତେଣୁ ବହୁ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିନପାରି ନିରାଶାରେ ଫେରିଯିବା ଆଶଙ୍କା ପ୍ରକାଶ ପାଇଛି । ଏହାଛଡ଼ା ନୀତି ସମୟରେ ବାରମ୍ୱାର ବାରିକେଡ୍‌ ହଟାଇବା ଓ ପକାଇବା ସମୟ ସାପେକ୍ଷ ହେବ । ତେଣୁ ଧାଡ଼ି ଦର୍ଶନ କିଭଳି ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦୀର୍ଘ ମାସ ହେଲା ବାରିକେଡ୍‌ ତିଆରି ହୋଇ ପଡ଼ିରହିଛି । ଭକ୍ତମାନେ ସାତପାହାଚ ଦେଇ ନାଟମଣ୍ଡପକୁ ଧାଡ଼ିରେ ପ୍ରବେଶ କରିବେ । ସେଠାରେ ବାରିକେଡ୍‌ ଦେଇ ଧାଡ଼ିରେ ଯିବେ । ବାରିକେଡ୍‌ ମଝିରେ କାଠର ପାହାଚ ଭଳି ହୋଇଛି । ଏହି ପାହାଚ ଦେଇ ଭକ୍ତ ଭିତରକୁ ପଶିବେ ଓ ସେହି ପାହାଚ ଉପରେ ହିଁ ଦର୍ଶନ କରି ଘଣ୍ଟି ଦ୍ୱାର ଦେଇ ବାହାରକୁ ବାହାରିବେ । ଏଭଳି ୬ଟି ପାହାଚ ରହିଛି । ଗୋଟିଏ ପାହାଚରେ ୩୦ ଲୋକ ହିସାବରେ ୧୮୦ ଲୋକ କିମ୍ବା ସର୍ବାଧିକ ୨୦୦ ଲୋକ ଦର୍ଶନ କରିବେ । ଦର୍ଶନରେ ଶୃଙ୍ଖଳା ଆଣିବା ପାଇଁ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ପରିଚାଳନା କମିଟି ମୋହର ମାରିଛି ।

ଦର୍ଶନରେ ଶୃଙ୍ଖଳା ଆଣିବା ପାଇଁ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ପରିଚାଳନା କମିଟି ମୋହର ମାରିଛି । ହେଲେ ଏହା କେତେ ଫଳପ୍ରଦ ହେଉଛି ତା' ଉପରେ ସମସ୍ତଙ୍କ ନଜର ରହିଛି ।