କନକ ବ୍ୟୁରୋ : ପୁଣି ଅନଲାଇନରେ ମହାପ୍ରଭୁଙ୍କ ପୂଜା ନାଁରେ ଠକେଇ । ପୂଜା ପରିସେବା କମ୍ ନାମକ ଏକ ଅନଲାଇନ୍ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପୂଜାର ବିଜ୍ଞପ୍ତି ଦେଇ ଏଭଳି ଅନଲାଇନ ସଂସ୍ଥା ଭକ୍ତଠାରୁ ଟଙ୍କା ଲୁଟୁଛନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ମହାପ୍ରଭୁଙ୍କୁ ଅନଲାଇନ ଦର୍ଶନ କରାଇବା ଆଳରେ ଜଗନ୍ନାଥ ପ୍ରେମୀଙ୍କୁ ଠକେଇ । ପୂଜା ପରିସେବା ନାମକ ଏକ ଅନଲାଇନ ଆପ୍ରେ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ ମିଳିବା ନେଇ ବିଜ୍ଞାପନ ଦିଆଯାଇଛି । ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି । ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ । ଶ୍ରୀମନ୍ଦିରରେ ଅନଲାଇନର ଏଭଳି କୌଣସି ବ୍ୟବସ୍ଥା ନାହିଁ । ଭକ୍ତମାନେ ବାରମ୍ବାର ଅନଲାଇନରେ ଠକେଇ ହେଉଛନ୍ତି । ତୁରନ୍ତ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସେବାୟତ ।
ପୂର୍ବରୁ ହରି ଓଁ ଅନଲାଇନ ଆପ୍ରେ ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ ମିଳିବ ବୋଲି ମିଛ ପ୍ରଚାର କରାଯାଇଥିଲା । ଏଥିରେ କୁହାଯାଇଥିଲା, ଲମ୍ବା ଲାଇନ୍ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଏହାସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଏହାସହ ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ବୁଝାଇବେ । ଆଉ ଏବେ ପୂଜା ପରିସେବା ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯିବା ପରେ ଏହା ସ୍ପଷ୍ଟ ହୋଇଛି ପୁଲିସ ଘଟଣାକୁ ଆଦୌ ଗୁରୁତର ସହ ନେଉନାହିଁ । ପୁରୀ ଏସପି କହିଛନ୍ତି, ସାଇବର ବିଶେଷଜ୍ଞଙ୍କ ଦ୍ଵାରା ଘଟଣାର ତଦନ୍ତ କରାଯିବ । ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।
ଟଙ୍କା ଦେଲେ ଭକ୍ତଙ୍କୁ ଭିଆଇପି ଦର୍ଶନ ମିଳିବ ବୋଲି ଅନଲାଇନ ଆପ୍ଲିକେସନ ପ୍ରଚାର କରୁଛନ୍ତି । ଅଧିକାଂଶ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ଢିଲା ମନୋଭାବ ଯୋଗୁଁ ଏଭଳି ଘଟଣା ଏବେ ବାରମ୍ବାର ଦେଖାଦେଉଛି ।