କନକ ବ୍ୟୁରୋ: ମହାଶିବରାତ୍ରିରେ ସବୁ ଶିବ ମନ୍ଦିରରେ ଭିଡ଼ ହେବା ସ୍ବାଭାବିକ  । କିନ୍ତୁ ଯେଉଁ ମନ୍ଦିରରେ ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛି ସେଠି ଶ୍ରଦ୍ଧାଳୁଙ୍କ ଭିଡ଼ ଅସମ୍ଭାଳ ହୁଏ  । ଉତ୍ତରପ୍ରଦେଶ କାଶୀ ବିଶ୍ବନାଥ ମନ୍ଦିର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । କାଶୀକୁ ଶିବଙ୍କ ନଗରୀ ବୋଲି କୁହାଯାଏ । 

Advertisment

କାଶୀରେ ମହାଦେବ କେବଳ ମନ୍ଦିରରେ ନାହାନ୍ତି ବରଂ ଏ ପୂରା ସହର ତାଙ୍କର ଘର । ତେଣୁ କେବଳ ମହାଶିବରାତ୍ରିରେ ନୁହେଁ ବରଂ ପ୍ରତ୍ୟେକ ଦିନ ଏଠାରେ ଭିଡ଼ ହୁଏ । ଊଣା ଅଧିକେ ଶ୍ରଦ୍ଧାଳୁଙ୍କୁ ଜଣାଥିବ ଶିବ ପଞ୍ଚାକ୍ଷର ପାଠ କଲେ ଅଶେଷ ଶାନ୍ତି ମିଳେ । ଏ ୫ ସଂଖ୍ୟାର ମହାଦେବଙ୍କ ସହ ରହିଛି ଗୂଢ଼ ତତ୍ତ୍ବ । ସେହିପରି କାଶୀରେ ବାବା ବିଶ୍ବନାଥଙ୍କର ୫ ଆଳତି ବି ବିଶେଷ ମହତ୍ତ୍ବ ବହନ କରେ । 

ଅଧିକ ପଢ଼ନ୍ତୁ :ଶେଯ ଉପରେ ବସି ନାମ ଜପ କରି ହେବ କି ? ପ୍ରେମାନନ୍ଦଜୀ ଦେଲେ ସ୍ପଷ୍ଟ ଉତ୍ତର

କାଶୀ ବିଶ୍ବନାଥଙ୍କର ୫ଥର ଆଳତି କେବଳ ମାତ୍ର ପୂଜା ପାଠର ଅଂଶ ନୁହେଁ । ଏହା ବାବା ବିଶ୍ବାନଥଙ୍କ ପୂରା ଦିନଚର୍ଯ୍ୟାର ଗୁରୁତ୍ବପୂର୍ଣ୍ଣ ଭାଗ । କାଶୀରେ ଶିବ କେବଳ ଦେବତା ନୁହନ୍ତି , ସେ ଏହି ପୂରା ଅଞ୍ଚଳର ରାଜା । ୫ ଆଳତି ତାଙ୍କର ୫ ଥର ସେବା । 

ଏ ୫ ଆଳତି ଖାଲି ସ୍ତୁତି ନୁହେଁ ବରଂ ସକାଳୁ ରାତି ଯାଏଁ ପ୍ରତିଟି ଦିନଚର୍ଯ୍ୟାର ପ୍ରତୀକ । ସୃଷ୍ଟିର ପଞ୍ଚ ତତ୍ତ୍ବର ପ୍ରତୀକ । ପ୍ରତି ଥର ଗୋଟିଏ ଲେଖାଏଁ ଆଳତି ଶିବଙ୍କର ଭିନ୍ନ ଭିନ୍ନ ସ୍ବରୂପ  ପାଇଁ । 

ମଙ୍ଗଳ ଆଳତି : ଏହି ଆଳତି ଭୋର ୩ଟାରୁ ୪ଟା ମଧ୍ୟରେ ହୁଏ । ଏହାକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ । ବିଶ୍ବାସ ରହିଛି ଏହି ସମୟରେ ସମସ୍ତ ଦେବତା ମହାଦେବଙ୍କ ଆଳତି କରନ୍ତି । ଏହି ସମୟରେ ଶିବଲିଙ୍ଗରେ ଅପାର ତେଜ ଥାଏ । ଏହି ସମୟରେ ସୃଷ୍ଟିର ଚେତନା ସବୁଠୁ ଶୁଦ୍ଧ ଓ ସ୍ଥିର ଥାଏ । କୁହାଯାଏ,   ଏହି ଆଳତିରେ ଭଗବାନଙ୍କ ଶିବଙ୍କ  ମହାଦେବଙ୍କୁ ନିଦରୁ ଉଠାଯାଏ । ଏଠାରେ ଶିବ କେବଳ ତପସ୍ବୀ ନୁହନ୍ତି ବରଂ ସଂସାରର ପରିଚାଳକ । ଏହି ସମୟରେ ସୃଷ୍ଟିର ସମସ୍ତ ଆତ୍ମା ଜାଗ୍ରତ ଥାନ୍ତି ଏବଂ ସାଧନାରେ ମୁକ୍ତିର ପଥ ଉନ୍ମୁକ୍ତ ହୁଏ । ଏହି ଆଳତି ଆକାଶ ତତ୍ତ୍ବକୁ ସମର୍ପିତ ହୁଏ । 

ଭୋଗ ଆଳତି: ଏହି ଆଳତି ୧୧ଟା ୧୫ରୁ ୧୨.୨୦ ମଧ୍ୟରେ ହୁଏ । ଏହି ଆଳତି କର୍ମ ପ୍ରଧାନ । କର୍ମ ପାଇଁ ଶକ୍ତି ଭୋଜନରୁ ମିଳେ । ସ୍ବୟଂ ଶ୍ରୀକୃଷ୍ଣ ବି ଅନ୍ନକୁ ବ୍ରହ୍ମର ସ୍ବରୂପ ବୋଲି କୁହାଯାଏ । ତେଣୁ ଭୋଗ ଆଳତି ସହ ବାବା ବିଶ୍ବନାଥଙ୍କୁ ଅନ୍ନ ନୈବେଦ୍ୟ ଅର୍ପଣ କରାଯାଏ । 

ସନ୍ଧ୍ୟା ବା ସପ୍ତଋଷି ଆଳତି : କୁହାଯାଏ ଏହି ଆଳତି ୫୫୦ ବର୍ଷ ପୁରୁଣା । କାଶୀ ବିଶ୍ବନାଥଙ୍କଠାରେ ଏହି ଆଳତି ୫ଟି ଆଳତି ଭିତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଶ୍ବାସ ରହିଛି । ଏହି ସନ୍ଧ୍ୟାରେ ସପ୍ତଋଷି ଅତ୍ରି, ଭରଦ୍ବାଜ, ଗୌତମ , ଭୃଗୁ, କଶ୍ୟପ, ବଶିଷ୍ଠ ଓ ବିଶ୍ବାମିତ୍ର ସ୍ବୟଂ ମହାଶୂନ୍ୟରୁ ଓହ୍ଲାଇଆସି ମନ୍ଦିରରେ ବାବାଙ୍କର ଆଳତି କରନ୍ତି । 

ଶୃଙ୍ଗାର ଆଳତି : ସନ୍ଧ୍ୟା ଆଳତି ପରେ ହୁଏ ବାବା ବିଶ୍ବନାଥଙ୍କର ଶୃଙ୍ଗାର ଆଳତି । ଏହି ଆଳତି ମହାଦେବଙ୍କ ସେହି ସ୍ବରୂପକୁ ଉଜାଗର କରେ , ଯେଉଁଥିରେ ସେ ଯୋଗୀ ହୋଇ ବି ଅତୀବ ସୁନ୍ଦର, ସତ୍ୟମ୍ ଶିବମ୍, ସୁନ୍ଦରମ୍ ସାକାର ମୂର୍ତ୍ତି ଭାବେ ଉଭା ହୁଅନ୍ତି । ଏହି ଆଳତି ଏହା ବାର୍ତ୍ତା ଦିଏ, ସଂସାରର ତ୍ୟାଗରେ ମୁକ୍ତି ନୁହେଁ ବରଂ ସଂସାରରେ ଥାଇ ବି ସେଥିରେ ଆସକ୍ତ ନହେବା ହିଁ ପ୍ରକୃତ ଶିବ ତତ୍ତ୍ବ  । 

ଶୟନ ଆଳତି : ରାତି ସାଢ଼େ ୧୦ରୁ ୧୧ଟା ମଧ୍ୟରେ ହୁଏ ବାବାଙ୍କ ଶୟନ ଆଳତି । ଏହା ଦିନର ଅନ୍ତିମ ଆଳତି । ଏହାସହ ଶିବଙ୍କର ଶୟନ କରାଯାଏ । ଏହି ଆଳତି ମୃତ୍ୟୁ ବା ଅନ୍ତର ପ୍ରତୀକ । ସଂସାରର ସନ୍ତୁଳନ ରକ୍ଷା କରିବାକୁ ବିଶ୍ରାମ ଦରକାର ବୋଲି ଏହି ଆଳତି ବାର୍ତ୍ତା ଦିଏ ।

ବାବା ବିଶ୍ବାନଥଙ୍କ ଏହି ୫ ଆଳତି ପୂରା ଜୀବନ ଚକ୍ରକୁ ପ୍ରତିପାଦନ କରେ । ଜୀବନରେ ଜାଗରଣ, କର୍ମ, ଚେତନା, ସୌନ୍ଦର୍ଯ୍ୟ, ବିଶ୍ରାମର ଆବଶ୍ୟକତାକୁ ଦର୍ଶାଏ ।