କନକ ବ୍ୟୁରୋ : ରାଜଧାନୀରେ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟା ଘଟଣାରେ କମ୍ପିଲା ଗୃହ । ପତ୍ନୀହନ୍ତା ଦୀପକ ତାର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ କରିଥିଲା ହତ୍ୟା । ବୀମା ଟଙ୍କା ହଡ଼ପ ପାଇଁ ହୋଇଥିଲା ଷଡ଼୍ଯନ୍ତ୍ର । ୨୦୨୨ମସିହାର ଏହି ଘଟଣାକୁ ମିଳିମିଶି ଚାପି ଦେଇଥିବା ଖୋଲାଖୋଲି ଭାବରେ ଅଭିଯୋଗ କରିଛନ୍ତି ଆଇମନ୍ତ୍ରୀ । କହିଛନ୍ତି, ସେତେବେଳେ ଅର୍ଥାତ ୧୭ ମାର୍ଚ୍ଚ ରାତି ପ୍ରାୟ ୯ ଟା ବେଳେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲା ଅଭିଯୁକ୍ତ ଦୀପକ । ଓଡି-୦୨-୩୮୪୬ ନମ୍ବର ଥିବା ଏକ ଟ୍ରକ ଧକ୍କାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲା । କିନ୍ତୁ ତଦନ୍ତ ବେଳେ ଜଣା ପଡିଥିଲା ଯେ, ଉକ୍ତ ଟ୍ରକଟି ସେହି ସମୟରେ ରାଉରକେଲାରେ ଥିଲା । ତେବେ କାହା ପୃଷ୍ଠପୋଷକତାରେ ଏସବୁକୁ ଚାପି ଦିଆ ଯାଇଥିଲା କହି ତତ୍କାଳୀନ ବିଜେଡି ସରକାରକୁ କାଠଗଡାକୁ ଟାଣିଛନ୍ତି ମନ୍ତ୍ରୀ ।
ସେପଟେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ପରେ ଦୀପକ ବୀମା ବାବଦକୁ ପାଖାପାଖି ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲା । ଦ୍ବିତୀୟ ବିବାହ ପରେ, ଶୁଭମିତ୍ରାଙ୍କ ପାଇଁ ପୁଣି ବୀମା କରିବାରୁ ସନ୍ଦେହ ଘେରକୁ ଆସିଯାଇଥିଲା । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ସନ୍ଦେହରେ ଖୁଣ୍ଟୁଣୀ ଥାନାର ଫାଇଲକୁ ରି ଓପନ୍ କରିଛି ପୁଲିସ୍ । ଏହି ହତ୍ୟାକାଣ୍ଡ ପଛର ଥିଓରି ଜାଣିବାକୁ ଦୀପକକୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅପର୍ଣ୍ଣା ଫାଇଲ ଖୋଲିଲେ ବହୁ ବଡ଼ବଡ଼ୁଆଙ୍କ ମୁଖା ଖୋଲିବ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହାରି ଭିତରେ ତଦନ୍ତକାରୀ ଅଧିକାରୀ ବା ଘଟଣାକୁ ହାଲୁକା ଭାବେ ଗ୍ରହଣ କରି, ଫାଇନାଲ ରିପୋର୍ଟ କରିଥିବା ଅଧିକାରୀଙ୍କ ଛାତି ଧଡ ଧଡ ହେବା ଆରମ୍ଭ ହେଲାଣି । ପତ୍ନୀହନ୍ତା କନେଷ୍ଟବଳ ଦୀପକକୁ ଏହି ହତ୍ୟାକାଣ୍ଡରୁ ବଞ୍ଚାଇବା ପଛରେ ଥିବା ଗଡ ଫାଦରଙ୍କ ବେଳା ଖରାପ ପଡିପାରେ ।