କନକ ବ୍ୟୁରୋ : ଅନୁଗୋଳର ଭାଲୁଖାଇ ନାଳରୁ ନିଖୋଜ ନାବାଳିକାର ମୃତଦେହ ମିଳିବା ପରେ ସ୍ତବ୍ଧ ହୋଇଯାଇଛି ପୂରା ଅଞ୍ଚଳ । ଗତକାଲି ଖେଳୁଥିବା ଝିଅର କ୍ଷତବିକ୍ଷତ ମୃତଦେହ ଦେଖି ବାକଶୂନ୍ୟ ହୋଇଯାଇଛନ୍ତି ବାପା ମା’ଙ୍କ ସମେତ ପୂରା ଅଞ୍ଚଳବାସୀ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଅନୁଗୋଳ-ବନ୍ତଳା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ । ବର୍ଷା ସାଙ୍ଗକୁ ଗର୍ଜୁଥିଲା ଘଡ଼ଘଡ଼ି । ତା’ପରଠାରୁ ନାବାଳିକା ନିଖୋଜ ହୋଇଯାଇଥିଲେ । ଘର ଲୋକ ଭାବିଥିଲେ ପଡ଼ିଶା ଘରକୁ ଯାଇଥିବ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ନଫେରିବାରୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନପାଇବାରୁ ପୁଲିସକୁ ଯୋଗାଯୋଗ କରିଥିଲେ । ପୁଲିସ ଟିମ୍ ଆସି ପହଞ୍ଚିଥିଲା । ତା’ପରେ ପରିବାର ପକ୍ଷରୁ ଝିଅ ନିଖୋଜ ନେଇ ସଦର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଆଜି ଘରଠାରୁ କିଛି ଦୂରରେ ଥିବା ଏକ ନାଳରୁ ଝିଅର ମୃତଦେହ ମିଳିଛି ।  

Advertisment

ରାଜ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଛି । କିନ୍ତୁ ଅମାନୁଷିକ କାଣ୍ଡ ଘଟାଉଥିବା ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦୁବୃର୍ତ୍ତମାନେ ଡରୁ ନାହାନ୍ତି । ଯାହାକି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ସୁରକ୍ଷାକୁ ନେଇ ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧୀ ପର୍ଯ୍ୟନ୍ତ ସମସ୍ତେ ଭାଷଣବାଜି କରୁଛନ୍ତି । ସମସ୍ତେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ବୋଲି କହୁଛନ୍ତି । କିନ୍ତୁ ଅନୁଗୋଳରୁ ଆସିଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।