କନକ ବ୍ୟୁରୋ : ପକ୍କା ସଡକ ଅଛି କିନ୍ତୁ ଯାତାୟତ ହୋଇପାରୁନି । ବିଦ୍ୟୁତ ଖୁଂଟ ଅଛି ହେଲେ ବିଜୁଳି ନାହିଁ । ବିକାଶ ଏଠି ଛୁଇଁବ ଛୁଇଁବ ହେଉଛି କିନ୍ତୁ ଛୁଇଁପାରୁନି । ରାସନ ଚାଉଳ ପାଇଁ ଯିବାକୁ ପଡେ ୨୫ କିଲୋମିଟର ଦୂର । ମୌଳିକ ସୁବିଧାରୁ ବଚିଂତ ରାୟଗଡାର ତୟାଙ୍ଗିରୀ ଗ୍ରାମବାସୀ। ପାହାଡରୁ ଝରି ଆସୁଥିବା ପାଣି ରାସ୍ତାରେ ଜମି ରହୁଛି । 

Advertisment

 ଅଣ ଓସାରିଆ ରାସ୍ତା ଦେଇ ତୟାଙ୍ଗିରୀ ଗାଁକୁ ପହଚିଂପାରେ ନାହିଁ ଆମ୍ବୁଲାନ୍ସ । ଦୀର୍ଘ ଦୁଇ ବର୍ଷ ତଳୁ ବିଦ୍ୟୁତ ଖୁଂଟ ପୋତାଯାଇଛି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିଲା ନାହିଁ । ୨୦୧୭ ନଭେମ୍ୱର ମାସରୁ ପ୍ରତିଘରକୁ ୨୦୦ୱାଟ୍‌ ବିଶିଷ୍ଟ ସୌର ଗୃହବତୀ ଯୋଗାଇ ଦିଆଯାଇଛି । ସେଥିରୁ ଅଧା ଜଳୁଛି, ଅଧା ଖରାପ ହୋଇଗଲାଣି । ସେତିକିରେ ସରିନି ସମସ୍ୟା। ପିଡିଏସ ସାମଗ୍ରୀ ଓ ଭତା ପାଇଁ ଘର ଠାରୁ ୨୫ କିଲୋମିଟର ଦୂର କୁମ୍ଭିକୋଟା ପଚାଂୟତକୁ ଯିବାକୁ ପଡୁଛି । ଏଥିପାଇଁ ଜଣକୁ ଶହେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । 

ରାୟଗଡା ସଦର ମହକୁମା କୁମ୍ଭିକୋଟା ପଚାଂୟତ ଅନ୍ତର୍ଗତ ତୟାଙ୍ଗିରୀ ଗାଁ ସମସ୍ୟାକୁ ନେଇ ସରପଂଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ସବୁଆଡୁ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ଗ୍ରାମବାସୀ । ଏଠି ପ୍ରଶ୍ନ ଉଠୁଛି ଆଉ କେତେ ବର୍ଷ ପରେ ଗାଁରେ ବିକାଶ ପହଂଚିବ ? କେବେ ଜିଲ୍ଲା ପ୍ରଶାସନର ନଜର ପଡିବ ?