କନକ ବ୍ୟୁରୋ : ଭୁବନେଶ୍ୱର ଓ କଟକରେ ଅଟକିବନି ବିକାଶ । ପୂରା ଓଡ଼ିଶାକୁ ଛୁଇଁବ ଡବଲ ଇଞ୍ଜିନ ସରକାରର ଡବଲ ବିକାଶ । ଲକ୍ଷ୍ୟ ଥିଲା କିଛି ଏଭଳି । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ବିକାଶ ପରିଷଦର ଅସ୍ତିତ୍ୱ କେବଳ ରାଜଧାନୀରେ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସୁଥିବା ବୈଠକରେ ସୀମିତ ।
ବିକାଶର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିଲା ବିଜେପି ସରକାର । ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦକୁ ନେଇ ଭିଜନ ୨୦୩୬ ଓ ବିକଶିତ ଓଡ଼ିଶାର ନକ୍ସା ଆଙ୍କିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଲୋକଙ୍କ ସରକାରରେ ବିକାଶ ଏବେ ବାଟବଣା । ନୂଆ ସରକାର ଆସିବା ପରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପରିଷଦ ଗଠନ ହେଲା । ଲକ୍ଷ୍ୟ ଥିଲା ଆଞ୍ଚଳିକ ବୈଷମ୍ୟ ଦୂର କରିବା ଓ ଓଡ଼ିଶାର ସବୁ ଅଞ୍ଚଳକୁ ବିକାଶ ଧାରାରେ ସାମିଲ କରିବା । ହେଲେ କୋଠାଟିଏ ନିର୍ମାଣ ହେଲାନି କି ବରାଦ ହୋଇଥିବା ଅର୍ଥ ଲୋକସେବା ଭବନ କାନ୍ଥ ଡେଇଁଲାନି । ଉତ୍ତର ଓଡ଼ିଶାର ବିକାଶ ପାଇଁ ବଜେଟ୍ ବ୍ୟୟବରାଦ ହୋଇଛି । ବିକାଶର ବେଗ କିନ୍ତୁ ଆଶାନୁରୂପକ ବଢ଼ିନି । ସେହିଭଳି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ପରିଭାଷା କେବଳ ବୈଠକରେ ସୀମିତ । ୪ଥର ବୈଠକ ବସିଛି, ବିକାଶର ଫାଇଲ ପ୍ରସ୍ତୁତିରେ ଅଟକିଛି ପରିଷଦ । ବିକାଶର ପଦଚିହ୍ନ ଦକ୍ଷିଣ ଓଡ଼ିଶାକୁ ସ୍ପର୍ଶ ବି କରିନି ।
ବିକାଶ ପରିଷଦ କେତେ ବିକାଶ କରେ ଏହାର ପ୍ରମାଣ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ୨ ଦଶନ୍ଧି ହେବ ବିକାଶ ପରିଷଦ ଗଠନ ସରିଥିଲେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ । ବିକାଶ ପରିଷଦ ଏବେ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । ନା ଅଛନ୍ତି ଅଧ୍ୟକ୍ଷ ନା ଅଛି ପଶ୍ଚିମ ଓଡ଼ିଶାରେ ମୁଖ୍ୟାଳୟ ।
ବିକାଶ ହେବ, ବିକାଶମୂଳକ କାମ ପାଇଁ ସରକାର ତତ୍ପର ଅଛନ୍ତି । କିଛି ଏଭଳି ସ୍ୱପ୍ନ ଦେଖାଇ ନୂଆ ସରକାର ବର୍ଷେ ପୂରା କରିସାରିଲାଣି । ହେଲେ ବିକାଶ ପରିଷଦର ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ବିକାଶ ଅଟକିଛି କେବଳ କାଗଜ କଲମରେ ।