କନକ ବ୍ୟୁରୋ: ସରକାରଙ୍କ ବର୍ଷକର ସଫଳତା ଲୋକଙ୍କ ହୃଦୟ ଜିତିଥିଲା । ଜନାଭିମୁଖୀ ଯୋଜନା ଆଣି ଲୋକାଦୃତ ହୋଇଥିଲା ଲୋକଙ୍କ ସରକାର । ହେଲେ କିଛି ହାତଗଣତି ଅଫିସର ଓ ଦଳୀୟ ନେତାଙ୍କ ପାଇଁ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଛନ୍ତି ବିରୋଧୀ ।
- ସରକାରଙ୍କୁ କିଏ କରୁଛି ବଦନାମ?
- ପୁଲିସ, ଅଫିସର ନା ନେତା
ଜୁନ୍ ମାସ ସରକାରଙ୍କ ପାଇଁ ଯେତିକି ସୁନାମ ଦେଇଛି ସେତିକି ଅପବାଦ ଆଣିଛି । ସଫଳତାର ସାର୍ଟିଫିକେଟ ସାଉଁଣ୍ଟୁ ସାଉଁଣ୍ଟୁ ବିବାଦ, ଅପବାଦ ମୁଣ୍ଡାଇଛି ନୂଆ ସରକାର । ବର୍ଷକର ଉପଲବ୍ଧିକୁ ଫିକା ପକାଇଛି ପୁରୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଘଟଣାକ୍ରମ ।
ରଥ ବିଭ୍ରାଟ, ଦଳାଚକଟା ମୃତ୍ୟୁ, ଅଫିସରଙ୍କୁ ମାଡ଼ । ଐତିହାସିକ ଓ ତ୍ରୁଟିପୂର୍ଣ୍ଣ ରଥଯାତ୍ରା ପାଇଁ ମାରାଥନ ବୈଠକ ବସିଥିଲେ ମଧ୍ୟ ଘୋଷଯାତ୍ରାର ପ୍ରଥମ ଦିନରୁ ଝୁଣ୍ଟିଥିଲେ ସରକାର । ସିଂହଦ୍ବାରରୁ ଆଗକୁ ବଢି ପାରିନଥିଲା ନନ୍ଦିଘୋଷ । ଯାହାକୁ ନେଇ ସରକାରଙ୍କୁ ଅପବାଦର ବୋଝ ମୁଣ୍ଡାଇବାକୁ ପଡିଥିଲା । ଏକଥା ଚର୍ଚ୍ଚା ହେଲା, ଅଫିସରଙ୍କ ପାଇଁ ବଦନାମ ହୋଇଥିଲେ ସରକାର ।
ଏହାର ଗୋଟିଏ ଦିନ ପରେ ଶରଧାବାଲିରେ ଦଳାଚକଟା ଅଘଟଣ ସରକାରଙ୍କୁ ବ୍ୟାକଫୁଟକୁ ନେଇଯାଇଥିଲା । ସମାଲୋଚନା, ପ୍ରଶ୍ନବାଣ ଓ କଟାକ୍ଷ ଭିତରେ ଦାୟିତ୍ବରେ ଥିବା ଅଫିସରଙ୍କ ଉପରେ ଛାଟ ବାଜିଲା । ବଦଳି କରି ସରକାର ସଙ୍କେତ ଦେଲେ, ଏଠାରେ ବି ଅଫିସରଙ୍କ ଦାୟିତ୍ବହୀନତା ପାଇଁ ସରକାର ବଦନାମ । ଗତକାଲିର ବିଏମସି ଅଫିସରଙ୍କୁ ମାଡ ଘଟଣା ସବୁ ସୀମା ସରହଦ ପାର କରିଗଲା । ଏଠାରେ ଅଫିସରଙ୍କ ବଦଳରେ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ବଦନାମ ହେଲେ ସରକାର ।
ସୂଚନାଯୋଗ୍ୟ ଯେ, ବର୍ଷକ ଭିତରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ସରକାରଙ୍କ ଉପଲବ୍ଧି ସାଧାରଣରେ ପ୍ରଂଶସା ସାଉଣ୍ଟୁଛି । ସୁଭଦ୍ରାଠାରୁ ୮୦୦ ଟଙ୍କାର ଇନପୁଟ୍ ସବ୍ସିଡି, ଆୟୁଷ୍ମାନଠାରୁ ଓବିସିଙ୍କୁ ସଂରକ୍ଷଣ ଦେଇ ଲୋକଙ୍କ ମନ ଜିଣିଥିଲେ । କିନ୍ତୁ ଅଫିସର୍ ଓ ପୁଲିସର ମନମାନି, ନିଷ୍କ୍ରିୟତା ସରକାରଙ୍କ ସଫଳତାରେ କଳଙ୍କ ବୋଳିଛି । ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନେଇ ଏବେ ମୁହାଁମୁହିଁ ଶାସକ-ବିରୋଧୀ । ବର୍ଷ ଏକ, ଉପଲବ୍ଧି ଅନେକ, ନାରା ଦେଇ ଆଗକୁ ବଢ଼ୁଥିବା ସରକାର, ଆଇନଶୃଙ୍ଖଳାକୁ ବଜାଇ ରଖିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।