କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ପାଣିକୁ ନେଇ ବିବାଦ ଲାଗି ରହିଛି । ଟ୍ରିପିଲ ଇଞ୍ଜିନ ସରକାର ଆସିବାକୁ ବର୍ଷେ ବିତିଥିଲେ ବି ଏହି ବିବାଦର ସମାଧାନ ହୋଇପାରିନି । ଏହାରି ଭିତରେ ଆଉ ଏକ ନୂଆ ଚାଲ ଚଳାଇଛି ଛତିଶଗଡ ସରକାର । ମହାନଦୀ ଓ ଇନ୍ଦ୍ରାବତୀ ନଦୀ ଉପରେ ଦୁଇଟି ବଡ଼ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଛି । ଏହି ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ଯୋଜନା ଅନୁସାରେ,
- ମହାନଦୀ ଓ ଇନ୍ଦ୍ରାବତୀ ଉପରେ ମେଗା ପ୍ରକଳ୍ପ ହେବ
- ବୋଧଘାଟ ଡ୍ୟାମ୍ ଓ ମହାନଦୀ-ଇନ୍ଦ୍ରାବତୀ ନଦୀ ସଂଯୋଗ ପ୍ରକଳ୍ପ
- ଦୁଇଟି ପ୍ରକଳ୍ପ ପାଇଁ ୪୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ
- ବୋଧଘାଟ ଡ୍ୟାମ୍ରେ ୨୯ ହଜାର କୋଟି ଓ ନଦୀ ସଂଯୋଗ ପ୍ରକଳ୍ପରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ବ୍ୟୟବରାଦ
ଦୁଇଟି ପ୍ରକଳ୍ପ ହେଲେ ବସ୍ତର ଅଞ୍ଚଳର ପ୍ରାୟ ୭ଲକ୍ଷ ହେକ୍ଟର ଜମିକୁ ପାଣି ମାଡ଼ିବ ବୋଲି ଛତିଶଗଡ଼ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିସହ ୧୨୫ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କହିଛନ୍ତି ।
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ବସ୍ତର ଅଞ୍ଚଳରେ ନକ୍ସଲ ପ୍ରଭାବ କମିବା ପରେ ଛତିଶଗଡ଼ ସରକାର ଏହି ପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି । ପାନୀୟ ଓ ଚାଷ ଜମିକୁ ପାଣି ସହ ଶିଳ୍ପ ପାଇଁ ଜଳ ଉପଲବ୍ଧତା ବୃଦ୍ଧି ପାଇବ । ପ୍ରତ୍ୟକ୍ଷ ଭାବେ ଛତିଶଗଡ଼ ରାଜ୍ୟର ୨୬୯ଟି ଗାଁର ଲୋକେ ଉପକୃତ ହେବେ । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଛତିଶଗଡ଼ ପାଇଁ ଆଶୀର୍ବାଦ ହୋଇଥିବାବେଳେ ଓଡ଼ିଶା ପାଇଁ ଅଭିଶାପ ସଦୃଶ ହେବ । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଜଳକଷ୍ଟ ଦେଖା ଦେବାର ଆଶଙ୍କା କରାଯାଉଛି ।
ମହାନଦୀର ଉପରମୁଣ୍ଡରେ ଏକାଧିକ ଡ୍ୟାମ ନିର୍ମାଣ କରିଛନ୍ତି ଛତିଶଗଡ ସରକାର । ଯାହାଫଳରେ ମହାନଦୀର ତଳମୁଣ୍ଡକୁ ପାଣି ଆସୁନାହିଁ । ଖରାଦିନେ ଓଡ଼ିଶା ପଟେ ଥିବା ମହାନଦୀ ଶୁଖିଲା ପଡୁଥିବାବେଳେ ବର୍ଷା ଦିନେ ଅଚାନକ ପାଣି ଛାଡ଼ିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଛତିଶଗଡ ସରକାରଙ୍କ ଏଭଳି ମନମାନିକୁ ଓଡ଼ିଶା ପକ୍ଷରୁ ଦୀର୍ଘ ବର୍ଷ ହେଲା ବିରୋଧ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରିନି । ବରଂ ନୂଆ ବିବାଦ ଜନ୍ମ ନେବାକୁ ଯାଉଛି ।