କନକ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଅନେକ କ୍ଷୟକ୍ଷତି ସହିବାକୁ ପଡ଼ିଛି । ଏହାପରେ ଏବେ ପୁଣି ସାରା ବିଶ୍ୱରେ ସହାୟତା ନାଁରେ ହାତ ପତାଉଛି ପାକିସ୍ତାନ । ଏହି କ୍ରମରେ ପ୍ରଥମେ IMF(International Monetary Fund) ପାକିସ୍ତାନକୁ ସହାୟତା କରିଥିବା ବେଳେ ଏବେ ADB (Asian Development Bank) ବା ଏସୀୟ ବିକାଶ ବ୍ୟାଙ୍କ ପାକିସ୍ତାନକୁ  ୮୦୦ ମିଲିୟନ ଡଲାର ସହାୟତା ଯୋଗାଇ ଦେଇଛି । ସବୁଠାରୁ ବଡ଼ କଥା ହେଉଛି ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ ଏଭଳି ସବୁ ସହାୟତା ଯୋଗାଇ ଦିଆଯାଉଛି । 

Advertisment

ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଫଣ୍ଡିଂ ଯୋଗାଇ ଆସୁଛି । ଏଭଳି ସ୍ଥିତିରେ ପାକିସ୍ତାନକୁ କୌଣସି ପ୍ରକାର ସହାୟତା ଯୋଗାଇ ଦେବାକୁ ବିରୋଧ କରି ଆସିଛି ଭାରତ । ଏହାପୂର୍ବରୁ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ ୮ ହଜାର ୫ଶହ କୋଟି ଟଙ୍କାର ବେଲ୍‌ଆଉଟ୍‌ ପ୍ୟାକେଜ୍‌ ଘୋଷଣା କରିଥିଲା । ଦେଶରେ ଆର୍ଥିକ ଦୁରାବସ୍ଥା ନାଁରେ ପାକିସ୍ତାନ ଆତଙ୍କବାଦୀଙ୍କୁ ପୁଣି ପ୍ରୋତ୍ସାହନ ଯୋଗାଇବା ଆରମ୍ଭ କରିଦେଇପାରେ । ଏହି ଆଶଙ୍କାରେ ରହିଛି ଭାରତ । 

ଏସୀୟ ବିକାଶ ବ୍ୟାଙ୍କରୁ ସହାୟତା ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ଖୁର୍ରମ ସେହଜାଦ । ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ପାକିସ୍ତାନକୁ ୩୦୦ ମିଲିୟନ ଡଲାର ପଲିସି ଆଧାରିତ ଋଣ ଓ ୫୦୦ ମିଲିୟନ ଡଲାରର ସାଧାରଣ ଋଣ ମିଳିଛି । ଏହି ଋଣ ମାଧ୍ୟମରେ ପାକିସ୍ତାନରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରାଯିବ । ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ପାକିସ୍ତାନର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ସହିତ କର ଆଦାୟ ପ୍ରଣାଳୀରେ ସୁଧାର ଅଣାଯିବ । 

ଭାରତ କହିଛି ଯେ, ପାକିସ୍ତାନ ADB ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଷ୍ଠାନରୁ ପାଇଥିବା ଋଣକୁ ନିଜ ଦେଶର ବିକାଶ କରିବା ପରିବର୍ତ୍ତେ ଆତଙ୍କବାଦ ଏବଂ ସାମରିକ ଖର୍ଚ୍ଚ ପାଇଁ ବ୍ୟବହାର କରିପାରିବ । ଭାରତ କହିଛି ଯେ ADB ଏବଂ IMFରୁ କୋଟିକୋଟି ଋଣ ପାଇବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଆର୍ଥିକ ସଂସ୍କାର କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି । ପାକିସ୍ତାନର ଦୁର୍ବଳ ସରକାରକୁ ଟାର୍ଗେଟ୍ କରି ଭାରତ କହିଛି ଯେ ସେଠାକାର ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ସେନା ହସ୍ତକ୍ଷେପ କରେ ।