Housing Scheme Photograph: (Kanak News)
କନକ ବ୍ୟୁରୋ : ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆବାସ ଯୋଜନାରେ ଗରିବଙ୍କୁ ସାମିଲ କରିଛନ୍ତି । ଘର କରିବା ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି । ଘର ନିର୍ମାଣ ବି ଆରମ୍ଭ ହୋଇଛି । କିନ୍ତୁ ହିତାଧିକାରୀଙ୍କ ପାଖରେ ଟଙ୍କା ଅଭାବ ଓ ଠିକାଦାରଙ୍କ ଯୋଗୁଁ ଅଧିକାଂଶ ଜାଗାରେ ଅଧପନ୍ତରିଆ ହୋଇ ରହିଛି ଆବାସ ଗୃହ ।
ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ମିଳିଲା, ଘର ନିର୍ମାଣ ବି ଆରମ୍ଭ ହେଲା । ହେଲେ, ପକ୍କା ଘରେ ରହିବାର ସ୍ୱପ୍ନ ପୂରଣ ହେଲାଣି । ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାର ସବୁଠି ଅଧାପନ୍ତରିଆ ହୋଇ ପଡ଼ିଛି ଆବାସ ଗୃହ ନିର୍ମାଣ । ଏହା ପଛର କାରଣ ଜାଣିଲେ ଚିନ୍ତାଜନକ । କପ୍ତିପଦା ଉପଖଣ୍ଡ ଉଦଳା ଏନଏସିର ଲକ୍ଷ୍ମୀ ହାଁସଦାଙ୍କ ସ୍ୱାମୀ ଲକ୍ଷ୍ମଣା ହାଁସଦାଙ୍କ ନାଁରେ ୨୦୨୨ରେ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଥିଲା । ଟଙ୍କା ଅଭାବରୁ ଘର କାମ ଠିକାଦାରକୁ ଦେଇ ଦେଇଥିଲେ । ଠିକାଦାର ୧ଲକ୍ଷରୁ ଅଧିକ ଟଙ୍କା ଉଠାଇ ଚମ୍ପଟ ମାରିଛି । ସେହିପରି ଏନଏସିର ଦୁଲାରୀ ମାରାଣ୍ଡିଙ୍କ ଅବସ୍ଥା ବି ସମାନ । ସ୍ୱାମୀ ମୁଷୁଙ୍କୁ ନାଁରେ କାର୍ଯ୍ୟାଦେଶର ମିଳିବା ପରେ ଟଙ୍କା ନେଇ ଚମ୍ପଟ ମାରିଛି ଠିକାଦାର । ଘର ପାଇଁ ଆସିଥିବା ସିମେଣ୍ଟ, ରଡ଼ ସବୁ ନଷ୍ଟ ହେଲାଣି ।
ଅଧିକ ପଢ଼ନ୍ତୁ : ମିଳିଲା ଟଙ୍କା, ପୂରଣ ହେବ ପକ୍କା ଘର ସ୍ୱପ୍ନ, ଅନ୍ତ୍ୟୋଦୟ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ନୂଆପଡା ଜିଲ୍ଲା ବୁଢ଼ୀପାଲି ପଂଚାୟତ ବେହେରାଡିହିର କେଶଲାଲ ଶତନାମୀ ଓ ଭାଇବୋହୁ ମଙ୍ଗଲୀ ଶତନାମୀଙ୍କୁ ଘର ମିଳିଥିଲା । ଧନବାଇଙ୍କ ଘର ଛାତ ପଡିଥିବାବେଳେ, ଅର୍ଥ ଅଭାବରୁ ମଙ୍ଗଳୀଙ୍କ ଘର ଛାତ ପଡ଼ିନାହିଁ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୨୪-୨୬ ଆର୍ଥିକ ବର୍ଷରେ ୧ ଲକ୍ଷ ୩୪୪ ଘର ମଞ୍ଜୁର ହୋଇଛି । ସମ୍ପୂର୍ଣ୍ଣ ହୋଇଛି ମାତ୍ର ୪ହଜାର ୧୪୪ ଘର । ୨୦୨୪-୨୫ ଆର୍ଥିକ ବର୍ଷରେ ୩୦ ଜିଲ୍ଲା ପାଇଁ ୧ ଲକ୍ଷ ୭୪ ହଜାର ୫୬୮ ଘର ମଞ୍ଜୁର ହୋଇଛି, ସମ୍ପୂର୍ଣ୍ଣ ହୋଇଛି ୮୨ ହଜାର ୮୮୪ ଘର । ଏବେ ପ୍ରଶ୍ନ ଉଠୁଛି କେବେ ପୂରଣ ହେବ ପକ୍କା ଘର ସ୍ୱପ୍ନ ?
Follow Us