କନକ ବ୍ୟୁରୋ: ଭତ୍ତା ଅନେକ ଅଭାବୀ ମଣିଷଙ୍କ ଆଶା । ଭତ୍ତାକୁ ନେଇ ଅନେକ ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି ସରକାର । ବର୍ତ୍ତମାନର ସରକାର ମଧ୍ୟ ସେହି ଭତ୍ତା ସ୍ଲୋଗାନ ଦେଇ ସରକାରକୁ ଆସିଛନ୍ତି । ହେଲେ ଏସବୁ ଏବେ ପ୍ରହେଳିକା । ନହେଲେ ଖୋର୍ଦ୍ଧା ଜିଲ୍ଲାର ଶହଶହ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହୋଇନଥାନ୍ତେ। ଫର୍ମ ଭରୁଛନ୍ତି। ପରିଣତ ବୟସରେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ହେଲେ ଉପଜିଲ୍ଲାପାଳ କହୁଛନ୍ତି ଭ୍ୟାକେନ୍ସି ହେଲେ ଭତ୍ତା ମିଳିବ।  ଖୋର୍ଦ୍ଧାର ବିରଞ୍ଚି ମହାପାତ୍ର । ଜଣେ ଦିବ୍ୟାଙ୍ଗ । ଏଯାଏଁ ମିଳିନି ଭତ୍ତା । ପ୍ରତିଦିନ ବାଡ଼ି ଖଣ୍ଡେ ଧରି ମ୍ୟୁନିସିପାଲଟି ଓ ଉପ-ଜିଲ୍ଲାପାଳ ଅଫିସ୍‌କୁ ଭତ୍ତା ପାଇଁ ଧାଉଛନ୍ତି । ହେଲେ ଭତ୍ତାଟିଏ ଭାଗ୍ୟରେ ଜୁଟୁନି । 
 
ସେମିତି ଆଉ ଜଣେ ହିତାଧିକାରୀ ହେଉଛନ୍ତି ଖୋର୍ଦ୍ଧା ନବୀନାବାଗ୍‌ର କାଶୀନାଥ ମହାପାତ୍ର। ବୟସ ୬୭ ଡେଇଁଲାଣି । ଇଏ ବି ଭତ୍ତା ଅପେକ୍ଷାରେ ।  ଆଉ  ଜଣଙ୍କ ମହିଳା ହେଉଛନ୍ତି ବବିତା ବରାଳ । ସ୍ବାମୀଙ୍କ ମୃତ୍ୟୁ ପରେ ଡେଥ୍‌ ବେନିଫିଟ୍‌ ବାବଦକୁ ୨୦ ହଜାର ଟଙ୍କା ଆଉ ବିଧବା ଭତ୍ତା ପାଇଁ ପୌର କାର୍ଯ୍ୟାଳୟକୁ ଧାଇଁଧାଇଁ ଥକିଗଲେଣି  । ସରକାରୀ ବାବୁଙ୍କ ଠାରୁ ଆଜି ଆସ କାଲି ଆସ ଶୁଣିଶୁଣି ସେ ଭତ୍ତା ଆଶା ଛାଡ଼ିଦେଲେଣି ।  

Advertisment

ଖାଲି ଏହି ୩ ଜଣ ନୁହଁନ୍ତି, ଖୋର୍ଦ୍ଧା ଜିଲ୍ଲାରେ ଭତ୍ତା ଆଶାୟୀଙ୍କ ଲମ୍ବା ତାଲିକା । ଏମାନେ ନିଇତି ଦୌଡୁଛନ୍ତି, ହେଲେ ଫାଇଲ୍‌ ସ୍ଥିର, ଟିକେ ବି ଘୁଞ୍ଚୁନି କହିଲେ ଚଳେ । ସେପଟେ ଉପଜିଲ୍ଲାପାଳ କହୁଛନ୍ତି, ସମସ୍ତଙ୍କର ତାଲିକାରେ ନାଁ ରହିଛି କିନ୍ତୁ ଭ୍ୟାକେନ୍ସି ଆସିଲେ ହିଁ ଭତ୍ତା ମିଳିବ । ଗୋଟିଏ ପଟେ ସରକାର କହୁଛନ୍ତି ଯେଉଁ ମାନଙ୍କର ବୟସ ୬୦ ଡେଇଁବ, ସେମାନେ ଆପେଆପେ ପେନ୍‌ସନ୍‌ ଭୁକ୍ତ ହୋଇଯିବା କଥା । ହେଲେ ଖୋର୍ଦ୍ଧାରେ ସେସବୁ ଖାଲି ଲୋକ ଦେଖାଣିଆ ।