କନକ ବ୍ୟୁରୋ : ଝାଡ଼ଖଣ୍ଡରେ ହେଉଥିଲା ନିର୍ବାଚନ, ହେଲେ ଓଡ଼ିଶାରେ ସରଗରମ ଥିଲା ରାଜନୈତିକ ତାତି। କାରଣ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡରେ ଯାଇ ପ୍ରଚାର କରିଥିଲେ । କିଛି ମନ୍ତ୍ରୀ ଓ ବିଧାୟକ ମଧ୍ୟ କ୍ୟାମ୍ପେନ୍ କରିଥିଲେ । ଏହାସତ୍ତ୍ୱେ ଆଦିବାସୀ ଏବଂ ଓବିସି ଭୋଟର ବହୁଳ ରାଜ୍ୟ ଝାଡ଼ଖଣ୍ଡରେ ପଡିନଥିଲା ପ୍ରଭାବ ।
ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ କ୍ଷମତାକୁ ଆସିବା ପାଇଁ ସବୁ ପ୍ରକାର କସରତ୍ କରିଥିଲା ବିଜେପି । ଝାଡ଼ଖଣ୍ଡରେ ପ୍ରାୟ ୨୦ ଲକ୍ଷ ଓଡ଼ିଆ ଭୋଟର ଥିବାରୁ ୧୮ଟି ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ନେତାଙ୍କୁ ଦିଆଯାଇଥିଲା ଦାୟିତ୍ୱ । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଥିବାରୁ ଏହି ତିନି ଜିଲ୍ଲାର ନେତାମାନେ ଯାଇ ପ୍ରଚାର କରିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧରିଥିଲେ ଝାଡ଼ଖଣ୍ଡ ମଙ୍ଗ । ରାଜ୍ୟରେ ଅଧିକ ଆଦିବାସୀ ଏବଂ ଓବିସି ଭୋଟର ଥିବାରୁ ସେମାନେ କିପରି ବିଜେପିକୁ ଭୋଟ୍ ଦେବେ, ସେଥିପାଇଁ ମୋହନ ମାଝୀ ୨ଥର ଝାଡ଼ଖଣ୍ଡ ଯାଇ ପ୍ରଚାର କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଆଦିବାସୀ ବହୁଳ ଝାଡ଼ଖଣ୍ଡ ଯାଇ ଭୋଟ୍ ଭିକ୍ଷା କରିଥିଲେ । ଏଥିସହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ଘନ ଘନ ଗସ୍ତ କରି ପ୍ରଚାର କରିଥିଲେ । ତାସତ୍ତ୍ୱେ ସେଠାରେ ମ୍ୟାଜିକ୍ ନମ୍ବର ଛୁଇଁପାରିନାହିଁ ବିଜେପି ।
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଘୋଷିତ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ । ଷଢେଇକଳା ଖରସୁଆଁ, ଇଷ୍ଟ ଜାମସେଦପୁର, ୱେଷ୍ଟ ଜାମସେଦପୁର, ଚାଇଁବସା ଭଳି କିଛି ନିର୍ବାଚନମଣ୍ଡଳୀରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ଦବ୍ଦବା ରହିଛି । ତେଣୁ ଓଡ଼ିଆ ନେତା ମାନେ ସେଠାରେ ଡେରା ପକାଇ ରହିଥିଲେ । କିନ୍ତୁ କୌଣସି ପ୍ରଭାବ ପଡ଼ିନଥିଲା । ବିଜେଡି କହିଛି, ଜାତୀୟ ରାଜନୀତିରେ ଏବେବି ରହିଛି ଆଞ୍ଚଳିକ ଦଳର ଦବ୍ଦବା ।
ଝାଡ଼ଖଣ୍ଡରେ କାହିଁକି ମ୍ୟାଜିକ୍ ନମ୍ବର ଛୁଇଁପାରିଲାନି ବିଜେପି ? ୨୦ ଲକ୍ଷ ଓଡ଼ିଆ ଭାଷାଭାଷୀ ଲୋକ ଥିଲେ ବି କାହିଁକି ସେମାନଙ୍କ ମନ ଜିତିପାରିଲେନି ଓଡ଼ିଆ ନେତା ? ତାକୁ ନେଇ ବିଜେପିରେ ଆତ୍ମସମୀକ୍ଷା ଜରୁରୀ ।