କନକ ବ୍ୟୁରୋ:ମହାପ୍ରଭୁ ଦେଇନାହାନ୍ତି ହାତ,କିନ୍ତୁ ପାଦରେ ତୂଳି ଧରି ସେ ଆଙ୍କି ଚାଲିଛନ୍ତି ମହାପ୍ରଭୁଙ୍କ ସୁନ୍ଦର ସୁନ୍ଦର ଚିତ୍ର । ଶ୍ରୀମନ୍ଦିର ଆଗରେ ଗ୍ଲୋବାଲ ଆର୍ଟିଷ୍ଟ ଫୋରମ ପକ୍ଷରୁ ଆୟୋଜିତ କର୍ମଶାଳାରେ ଦେଶବିଦେଶର ଚିତ୍ରଶିଳ୍ପୀଙ୍କ ସମାଗମ ହୋଇଥିଲା । ସବୁ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ବାରି ହୋଇଯାଇଥିଲେ ରଞ୍ଜନ କୁର୍ମୀ ।
ହାତର ଅକ୍ଷମତା ସତ୍ତ୍ବେ ସେ ହାର ମାନି ନାହାନ୍ତି । ପାଦରେ ତୂଳି ସାହାଯ୍ୟରେ ନିଜ ଭକ୍ତି ଭାବନାକୁ କାନଭାସରେ ତୋଳି ଧରିଛନ୍ତି । ଏ ହେଉଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ରଞ୍ଜନ କୁର୍ମୀ। ମନରେ ଅବସୋସ ନାହିଁ। ପାଦରେ ତୂଳି ଧରି ନିଖୁଣ ଭାବେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ସେଇ ଅକ୍ଷମ ହାତରେ ଧରିଛନ୍ତି । ଗ୍ଲୋବାଲ ଆର୍ଟିଷ୍ଟ ଫୋରମ ପକ୍ଷରୁ ଆୟୋଜିତ କର୍ମଶାଳାରେ ଦେଶ ବିଦେଶର ଚିତ୍ରଶିଳ୍ପୀଙ୍କ ସମାଗମ ହୋଇଥିଲା। ଏଇ ଭିଡ଼ ଭିତରେ ପଶ୍ଚିମବଙ୍ଗର ଦିବ୍ୟାଙ୍ଗ ଶିଳ୍ପୀ ରଞ୍ଜନଙ୍କ ଚିତ୍ର ଦେଖି ଭକ୍ତମାନଙ୍କ ଆଖିରେ ଲୁହ ଆସିଯାଇଥିଲା ।
ମହାପ୍ରଭୁଙ୍କ ଚିତ୍ର ପାଦରେ ଆଙ୍କିବା ବେଳେ ମନରେ ସଙ୍କୋଚ ଥିଲେ ବି ଭକ୍ତିଭାବ ତାଙ୍କୁ ଅଟକାଇ ପାରିନାହିଁ। ତାଙ୍କ ମତରେ, ମହାପ୍ରଭୁ ତାଙ୍କ ହୃଦୟରେ ଅଛନ୍ତି। ପୁଣି ସଙ୍କୋଚ କରିବେ କାହାକୁ? କାହା ଆଖିରେ ଏହା ତାଙ୍କର ପାଦ ହୋଇଥାଇପାରେ, କିନ୍ତୁ ତାଙ୍କ ପାଇଁ ହାତ ବୋଲି ଭାବନ୍ତି ରଞ୍ଜନ । ମହାପ୍ରଭୁ ସିନା ସକ୍ଷମ ହାତ ଦେଇନାହାନ୍ତି, କିନ୍ତୁ ତାଙ୍କଠାରେ ଭରି ଦେଇଛନ୍ତି ଅନନ୍ୟ ସୃଜନଶୀଳତା ।