କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନୂଆଗାଁ । ଗାଁର ଲୋକ ସଂଖ୍ୟା ୩୫ଶହରୁ ଅଧିକ । ଏଠାରେ ରହିଛି ଏସିଆ ମହାଦେଶର ସର୍ବ ପୁରାତନ ଚିନିଶିଳ୍ପ । ବ୍ୟାଙ୍କ, ଲେବର ଅଫିସ, ପୋଷ୍ଟ ଅଫିସ, ବିଦ୍ୟୁତ କାର୍ଯ୍ୟାଳୟର ସବଷ୍ଟେସନ ଓ ଉଚ୍ଚ ବିଦ୍ୟାଳୟ ସବୁ କିଛି । ତଥାପି ଗାଁକୁ ମିଳିନି ରାଜସ୍ୱ ଗ୍ରାମର ମାନ୍ୟତା । ମୁକୁନ୍ଧପୁରର ପଡ଼ା ଗାଁ ଭାବେ ପରିଚିତ ନୂଆଗାଁ।
ରାଜସ୍ବ ଗ୍ରାମ ପାଇଁ ସବୁ ଯୋଗ୍ୟତା ରହିଛି । ଗ୍ରାମବାସୀ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଗତ ମାସରେ ଆସିକା ତହସିଲର ଦୁଇଟି ପଡ଼ା ଗାଁରୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଛି । ଆସିକା ତହସିଲ ଅନ୍ତର୍ଗତ ହୁମୁକି, ଖରିଆ ଗାଁକୁ ୩୫ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି । କିନ୍ତୁ ସେହି ତାଲିକାରେ ନୂଆଗାଁ ବାଦ ପଡ଼ିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଆସିକା ତହସିଲରେ ୧୧୪ଟି ରାଜସ୍ୱ ଗ୍ରାମ ଏବଂ ୨୦ଟି ପଡ଼ା ଗାଁ ରହିଛି । ଅନ୍ୟ ପଡ଼ା ଗାଁକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ସ୍ଥାନୀୟ ଜନ ପ୍ରତିନିଧି ସରକାରଙ୍କ ନିକଟରେ ଦାବି କରିଛନ୍ତି ।