କନକ ବ୍ୟୁରୋ : ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଉଛି। ସହରର ସବୁ ୱାର୍ଡରୁ ଅଳିଆ ଉଠାଇବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ୨୨ଟି ୱାର୍ଡରେ ପ୍ରତିଦିନ ୨ଶହ ସଫେଇ କର୍ମଚାରୀ କାମ କରନ୍ତି । ୮ଟି ଟ୍ରାକ୍ଟର ଏବଂ ପୌର ପରିଷଦର ନିଜସ୍ୱ ଟ୍ରାକ୍ଟର ସହ ବ୍ୟାଟେରୀ ଗାଡ଼ି ଗୁଡ଼ିକ ୱାର୍ଡ ୱାର୍ଡ ବୁଲି ଅଳିଆ ସଂଗ୍ରହ କରୁଛି । କିନ୍ତୁ ରାସ୍ତା କଡ଼ରେ ପଡିଥିବା ଅଳିଆ ଆବର୍ଜନା ସେମିତି ପଡ଼ି ରହୁଛି । କୁଢ଼କୁଢ଼ ଅଳିଆ ଗଦାରେ ସହର ପରିବେଶ ପ୍ରଦୂଷିତ ହେଉଛି ।
ବଲାଙ୍ଗୀର ପୌରପାଳିକାରେ କଟକର ଚନ୍ଦନ ଏଜେନ୍ସି ସଫେଇ ଦାୟିତ୍ୱ ନେଇଛି । ମାସକୁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଦୀର୍ଘ ଦିନ ଧରି ଗୋଟେ ସଂସ୍ଥା କାମ କରି ଆସୁଥିବାରୁ ମନମାନୀ କରୁଛି । ଅଳିଆ ସଫା ନକରି ଟଙ୍କା ନେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେପଟେ ବଲାଙ୍ଗୀର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯିବାରୁ, ସେ ଏହା ଉପରେ ଶୀଘ୍ର ପଦକ୍ଷେପ ନେବେ ଓ ସମ୍ପୂର୍ଣ ଘଟଣା ଉପରେ କଡା ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ପଡ଼ା ବୁଲିବୁଲି ଅଳିଆ ଗାଡ଼ି ଅଳିଆ ସଂଗ୍ରହ କରୁଥିବାରୁ ଲୋକ ୟୁଜର୍ସ ଫି ଦେଇଥାନ୍ତି, ଏଭଳି ବ୍ୟବସ୍ଥା ସତ୍ୱେ ସହରର ମୁଖ୍ୟ ସ୍ଥାନରୁ ଅଳିଆ ନଉଠିବା ଅସନ୍ତୋଷର କାରଣ ହୋଇଛି।