କନକ ବ୍ୟୁରୋ: ସରକାରଙ୍କ ଫୋକସରେ ଶିକ୍ଷା । ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମାଳମାଳ ଯୋଜନା । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି, ହେଲେ ପାଠ ପଢିବାକୁ ଘରୋଇ ଟ୍ୟୁସନରେ ଲାଇନ୍ ଲଗାଉଛନ୍ତି । କେନ୍ଦ୍ର ସରକାରଙ୍କ କମ୍ପ୍ରେହେନସିଭ ମଡ୍ୟୁଲାର ସର୍ଭେ(ସିଏମଏସ) ରିପୋର୍ଟରେ ଆସିଥିବା ତଥ୍ୟ ବେଶ ଉଦବେଗଜନକ । ରାଜ୍ୟରେ ସ୍କୁଲ ପାଠପଢା ଅପେକ୍ଷା ଘରୋଇ କୋଚିଂ ପାଠପଢାକୁ ଅଧିକ ଭରସୁଛନ୍ତି ଛାତ୍ରଛାତ୍ରୀ । ସେହିଭଳି ଦେଶରେ ଏକ ତୃତୀୟାଂଶ ସ୍କୁଲ ଛାତ୍ର ଟ୍ୟୁସନ ମୁହାଁ ।
ପସନ୍ଦ ହେଉନି କି ସ୍କୁଲ ପାଠପଢ଼ା?
ଓଡ଼ିଶାରେ ପ୍ରାକ୍-ପ୍ରାଥମିକରୁ ଉଚ୍ଚଶିକ୍ଷା ସ୍ତରରେ ୫୭% ଛାତ୍ରଛାତ୍ରୀ ଟ୍ୟୁସନମୁହାଁ । ସହରାଞ୍ଚଳରେ ୬୬% ଓ ଗ୍ରାମାଞ୍ଚଳରେ ୫୪% ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଆବଶ୍ୟକ । ନବମ ଓ ଦଶମ ଶ୍ରେଣୀରେ ସର୍ବାଧିକ ୬୮.୭% ଛାତ୍ରଛାତ୍ରୀ ଟ୍ୟୁସନରେ ପଢୁଛନ୍ତି ପାଠ । ଦେଶରେ ୨୭% ଛାତ୍ରଛାତ୍ରୀ ଘରୋଇ କୋଚିଂ ନେଉଛନ୍ତି । ସହରାଞ୍ଚଳରେ ୩୦.୭% ଓ ଗ୍ରାମାଞ୍ଚଳରେ ୨୫.୫% ଟ୍ୟୁସନ ଯାଉଛନ୍ତି । ଏଭଳି ସ୍ଥିତି ପାଇଁ ସରକାରୀ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଅଭିଭାବକ । ପ୍ରାକ୍-ପ୍ରାଥମିକ ସ୍ତରରୁ ହିଁ ପିଲାଙ୍କୁ ଘରୋଇ କୋଚିଂ ପାଇଁ ପଠାଯାଉଛି। ଅଥାର୍ତ ଅଭିଭାବଙ୍କର ସ୍କୁଲ ଶିକ୍ଷାଦାନ ଉପରେ ସେତେଟା ଭରସା ରହୁନି। ଘରୋଇ କୋଚିଂ ବାବଦକୁ ଅଭିଭାବକଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ଗଣିବାକୁ ପଡୁଛି।
ଘରୋଇ କୋଚିଂ: ପାଣି ଭଳି ଯାଉଛି ଟଙ୍କା
ସହରାଞ୍ଚଳରେ ପିଲା ପିଛା ବାର୍ଷିକ ଟ୍ୟୁସନ୍ ପାଇଁ ୧୦ ହଜାର ୮୯୯ ଟଙ୍କା ଖର୍ଚ୍ଚ ହେଉଛି । ଘରୋଇ କୋଚିଂ ପାଇଁ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ପିଛା ବାର୍ଷିକ ୩ ହଜାର ୫୪୭ ଟଙ୍କା ଖର୍ଚ୍ଚ ହେଉଛି । ଉଚ୍ଚମାଧ୍ୟମିକ ଶିକ୍ଷାସ୍ତରରେ ଶିକ୍ଷା ଖର୍ଚ୍ଚ ବାବଦକୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରିବାର ବାର୍ଷିକ ୮ ହଜାର ୧୧୭ ଟଙ୍କା ଖର୍ଚ୍ଚ କରିଥାଆନ୍ତି । ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୪୦ ହଜାର ୧୪୭ ଟଙ୍କା ଖର୍ଚ୍ଚ କରିଥାନ୍ତି ପରିବାର । ପକେଟକୁ ବାଧୁଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତ ସହ ସାଲିସ କରିବାକୁ ଚାହୁଁନାହାନ୍ତି ଅଭିଭାବକ। ପ୍ରଶ୍ନ ଉଠୁଛି, ସ୍କୁଲରେ ପଢ଼ା ହେଉଥିବା ବେଳେ ଟ୍ୟୁସନମୁହାଁ କାହିଁକି ହେଉଛନ୍ତି ଛାତ୍ରଛାତ୍ରୀ ? ସ୍କୁଲ ପାଠପଢ଼ା ଉପରେ ଅଭିଭାବକଙ୍କର ରହୁନି କି ଭରସା ?