କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଫଳ ବାହାରିବାକୁ ବିତିଲାଣି ୨୦ ଦିନ । ଆଇସିଏସଇ ବୋର୍ଡ ଓ ସିବିଏସଇ ବୋର୍ଡର ବି ପରୀକ୍ଷା ଫଳ ବାହାରି ସାରିଲାଣି । ହେଲେ ଏପର୍ଯ୍ୟନ୍ତ  ପ୍ରକାଶ ପାଇନି +୨ ନାମଲେଖା ପାଇଁ ବିଜ୍ଞପ୍ତି । ସିବିଏସଇ  ଓ ଆଇସିଏସଇ ବୋର୍ଡ ଦ୍ବାରା ପରିଚାଳିତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ନିଜ ନିଜର ପ୍ରବେଶିକା ପରୀକ୍ଷା କରାଇ ନାମ ଲେଖା କରି ଏକାଦଶ ପାଠ ପଢ଼ା ଆରମ୍ଭ ବି କରି ସାରିଲେଣି । କିନ୍ତୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏଯାଏଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସାଧାରଣତ କୌଣସି ବୋର୍ଡ ପରୀକ୍ଷାଫଳ ପ୍ରକାଶନର ୧୫ରୁ ୨୦ ଦିନ ମଧ୍ୟରେ ପରବର୍ତ୍ତୀ ଶ୍ରେଣୀ ନାମଲେଖା ପାଇଁ ଆବେଦନ ସମୟ ଧାର୍ଯ୍ୟ  କରାଯାଇଥାଏ। ପରେ ଯୋଗ୍ୟତା ତାଲିକା ସହିତ ନାମଲେଖା ଆରମ୍ଭ ହୁଏ । ସାମ୍ସ ଅଧିନରେ ଏହି ନାମ ଲେଖା ପ୍ରକ୍ରିୟା କରାଯାଉଛି । ଯାହା ସମ୍ପୂର୍ଣ୍ଣ ହେବାକୁ ୨ ମାସ ସମୟ ଲାଗେ । ନାମ ଲେଖା ବିଜ୍ଞପ୍ତି ପ୍ରକାଶ ବିଳମ୍ବ ହେବା କାରଣରୁ ପୂରା ପ୍ରକ୍ରିୟା ବିଳମ୍ବ ହେବା ଆଶଙ୍କା । ସାଧାରଣ କଲେଜରେ ପାଠପଢ଼ା ଆରମ୍ଭ ହେବା ବେଳକୁ ପୂର୍ବରୁ ଅନ୍ୟ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ୪ମାସ ଆଗୁଆ ପାଠ ପଢ଼ି ସାରିଥିବେ।