କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ପୁରୁଣା ବାନ୍ଧଗୋଡ଼ା ଗାଁର ଦିବ୍ୟାଙ୍ଗ ମହିଳା ସଂଘମିତ୍ରା ମିଶ୍ର। ପାଖଆଖ ଅଞ୍ଚଳରେ ସେ ମମତା ନାନୀ ଭାବେ ପରିଚିତ । ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ଼ ହରାଇଛନ୍ତି ମମତା । ସ୍ବାମୀ ଦିଗମ୍ବର ମିଶ୍ର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜା କରି ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳିବା କଷ୍ଟ । ତେଣୁ ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ନିଜ ଉଦ୍ୟମରେ ମମତା ନାନୀ ଆରମ୍ଭ କରନ୍ତି ବଡ଼ି ବେପାର। ବଡ଼ି ତିଆରି ସହିତ ବ୍ୟବସାୟ କରି ସେ ସଫଳ ହୋଇଛନ୍ତି ।
ଦୁଇ ବର୍ଷ ହେଲା ମମତା ନାନୀ ବଡ଼ି ବେପାର କରୁଛନ୍ତି । ସେ ଫୁଲବଡ଼ି, କଖାରୁ ବଡ଼ି, ଖସାବଡ଼ି ତିଆରି କରନ୍ତି । ଅଞ୍ଚଳରେ ତାଙ୍କ ବଡ଼ିର ଢେର୍ ଚାହିଦା ରହିଛି । ବଡ଼ି ବିକ୍ରି ପାଇଁ ତାଙ୍କୁ ବଜାରକୁ ଯିବାକୁ ପଡ଼ୁନାହିଁ । ବ୍ୟବସାୟୀ ଓ ଗ୍ରାହକମାନେ ତାଙ୍କ ଘରକୁ ଯାଇ ବଡ଼ି କିଣୁଛନ୍ତି । ଖାଲି ସେତିକି ନୁହେଁ, ନଡ଼ିଆ ଖଡ଼ିକାରୁ ଖଇଞ୍ଚି ତିଆରୀ କରି ବିକ୍ରି କରୁଛନ୍ତି ।
ମମତା ନାନୀ ଦିବ୍ୟାଙ୍ଗ ହୋଇ ମଧ୍ୟ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି ।