କନକ ବ୍ୟୁରୋ: ଏପ୍ରିଲ ମାସରେ ବିଦ୍ୟୁତ କାଟ ହେବନି ବୋଲି ଘୋଷଣା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ମଝିରେ ମାର୍ଚ୍ଚ ଯାଇ ମେ’ ମାସ ସରିବାକୁ ବସିଲାଣି, ହେଲେ ବିଦ୍ୟୁତ ବିତରଣ କମ୍ପାନି ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟରେ ଲାଗୁନି ରୋକ । ରାଜଧାନୀ ହେଉ କି ରାଜ୍ୟର ଉପାନ୍ତ ଅଞ୍ଚଳ, ସବୁଠି ଅଘୋଷିତ ବିଦ୍ୟୁତକାଟର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପିଲାଠୁ ବୁଢ଼ା ।
ଘନ ଘନ ବିଦ୍ୟୁତ କାଟ ହେଉଥିବା ବେଳେ ଅସହ୍ୟ ତାତିରେ ଜନଜୀବନ ହେଉଛି ପ୍ରଭାବିତ । ରାଜ୍ୟ ତମାମ ବିଦ୍ୟୁତକାଟର ମାଳ ମାଳ ଚିତ୍ର ମନ୍ତ୍ରୀଙ୍କ ଘୋଷଣାକୁ ପାଣିରେ ଗାର ସମାନ କରିଛି । ଷ୍ଟିଲ୍ ସିଟି ରାଉରକେଲା ସମେତ କେନ୍ଦ୍ରାପଡ଼ା ପାଟକୁରାରୁ ଅଘୋଷିତ ବିଦ୍ୟୁତ କାଟ୍ ସହ ଲୋଭୋଲଟେଜ୍ ଭଳି ସମସ୍ୟା ସାମ୍ନାକୁ ଆସିଛି । ସରକାର କହୁଛନ୍ତି ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ହେଉଛି ବଳକା ରାଜ୍ୟ । ତଥ୍ୟ ଅନୁସାରେ....
- ଓଡ଼ିଶାରେ ମୋଟ ବିଦ୍ୟୁତ ଉତ୍ପାଦନ: ୪୩ ହଜାର ୯୮୯ ମିଲିଅନ ୟୁନିଟ୍
- ବ୍ୟବହାର ହେଉଛି: ୩୮ ହଜାର ୮୧୪ ମିଲିଅନ ୟୁନିଟ୍
- ବଳକା: ୫ ହଜାର ୧୩୫ ମିଲିଅନ ୟୁନିଟ୍
ନିୟମ ଅନୁସାରେ ସରକାର ପାୱାର୍ କଟ୍ କଲେ ଆଗୁଆ ଜଣାଇବେ । ଆଉ ସରକାର ନ ଜଣାଇଲେ ତାହାକୁ ଅଘୋଷିତ ବିଦ୍ୟୁତ କାଟ ବୋଲି ଧରାଯିବ । କିନ୍ତୁ ରାଜ୍ୟରେ ବିଦ୍ୟୁତ କମ୍ପାନିଗୁଡ଼ିକ ଏବେ ମନଇଛା ଅଘୋଷିତ ବିଦ୍ୟୁତ କାଟ କରୁଛନ୍ତି । ଏହା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ବେଳେ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଭଳି ବିଦ୍ୟୁତ ବଳକା ରାଜ୍ୟରେ କାହିଁକି ହେଉଛି ଘନ ଘନ ବିଜୁଳି କାଟ? କେବେ ବନ୍ଦ ହେବ ଏହି ସମସ୍ୟା? ଉପଭୋକ୍ତା କେବେ ପାଇବେ ନିରବଛିନ୍ନ ବିଦ୍ୟୁତସେବା?